ପର୍ଯ୍ୟଟକଙ୍କ ପାଇଁ ବଡ଼ ଖବର: ନୂଆବର୍ଷ ପାଇଁ ନନ୍ଦନକାନନରେ ନୂଆ ନିୟମ
ଓଏଲ୍ ବ୍ୟୁରୋ: ଆଉ କିଛି ଦିନରେ ଶେଷ ହେବାକୁ ଯାଉଛି ଇଂରାଜୀ ବର୍ଷ ୨୦୨୪। ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ନୂଆବର୍ଷକୁ ଦୃଷ୍ଟିରେ ରଖ୍ ଏବେଠୁ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ସେହିକ୍ରମରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନନ୍ଦନକାନନ ପ୍ରାଣୀଉଦ୍ୟନ ଓ ଏହାର ପାର୍ଶ୍ଵରେ ଥିବା ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ପର୍ଯ୍ୟଟକଙ୍କ ଭିଡ଼ ନିଯନ୍ତ୍ରଣ ପାଇଁ ସଞ୍ଚାର(ଅନଲାଇନ) ହ୍ଵାଟ୍ସଆପ୍ରେ ଟିକଟ ସଂଗ୍ରହ କରିବାକୁ ନନ୍ଦନକାନନ ଉପନିର୍ଦେଶକ ପରାମର୍ଶ ଦେଇଛନ୍ତି। ପର୍ଯ୍ୟଟକ ଯେପରି ସୁରକ୍ଷିତ ଭାବେ ଉଭୟ ଉଦ୍ୟାନ ଭ୍ରମଣ କରିବେ ତା’ ଉପରେ ଗୁରୁତ୍ଵ ଦିଆଯିବ ବୋଲି ଉପନିର୍ଦେଶକ କହିଛନ୍ତି।
https://www.nandankanan.org/ticket.php
ପର୍ଯ୍ୟଟନ ଋତୁରେ ବହୁ ପର୍ଯ୍ୟଟକ ଉଭୟ ଉଦ୍ୟାନ ବୁଲିବାକୁ ଆସନ୍ତି। ପର୍ଯ୍ୟଟକ ରୋପୱେର ମଜା ନେଇଥାନ୍ତି। ଏଥିସହ ବସ୍ରେ ବସି ବାଘ, ଭାଲୁ, ସିଂହ ଓ ତୃଣଭୋଜି ସଫାରୀ ବୁଲିଥାନ୍ତି। ନନ୍ଦନକାନନରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୧୦୦ଟଙ୍କା ଥିବାବେଳେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ୫୦ଟଙ୍କା, ୩ରୁ ୧୨ବର୍ଷର ପିଲାଙ୍କ ପାଇଁ ୧୦ଟଙ୍କା ରହିଛି। ଷ୍ଟିଲ ଓ ଡିଜିଟାଲ କ୍ୟାମେରା ନେବାଲାଗି କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ବଡ଼ କ୍ୟାମେରା ପାଇଁ ୧୦୦, ଭିଡିଓ ସୁଟିଂ ପାଇଁ ୫୦୦ ଓ ଚଳଚ୍ଚିତ୍ର ସୁଟିଂ ପାଇଁ ୪ହଜାର ଟଙ୍କା ନିର୍ଦ୍ଧାରଣ କରାଯାଇଛି।