ଜାନୁୟାରୀ ୩ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ପୂର୍ବ ପ୍ରସ୍ତୁତି ନେଇ ସମୀକ୍ଷା ବୈଠକ
ଓଏଲ୍ ବ୍ୟୁରୋ: ଧନୁଯାତ୍ରା ମହକରେ ଉଲ୍ଲସିତ ହେବ ସମଗ୍ର ବରଗଡ଼ ଜିଲ୍ଲା। ଜାନୁୟାରୀ ୩ରୁ ଆରମ୍ଭ ହେଉଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା।ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆୟୋଜନ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ଅଧ୍ୟକ୍ଷତା କରି କହିଥିଲେ ଯେ, ବରଗଡ଼ ଧନୁଯାତ୍ରା ଆମର ଗର୍ବ ଓ ଗୌରବ।
ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ସ୍ୱୀକୃତିପ୍ରାପ୍ତ ବରଗଡ଼ ଧନୁଯାତ୍ରା ଭଗବାନ କୃଷ୍ଣ, ତାଙ୍କ ବାଲ୍ୟଲୀଳା ଓ ତାଙ୍କ ରାକ୍ଷସ ମାମୁଁ କଂସଙ୍କ କାହାଣୀ ଉପରେ ଆଧାରିତ। ଏହି ଉତ୍ସବ ସମୟରେ ସମଗ୍ର ବରଗଡ଼ ଜିଲ୍ଲାରେ ମଥୁରା ରାଜ୍ୟରେ ପରିଣିତ ହୋଇଯାଏ। ଏହାର ଆୟୋଜନ କେବଳ ବରଗଡ଼ ଜିଲ୍ଲା ପ୍ରଶାସନଙ୍କ ଦାୟିତ୍ୱ ନୁହେଁ ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି।
ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଆଭାସି ମାଧ୍ୟମରେ ଯୋଗଦେବା ସହ ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବଲବନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଦେଶକ ସମର୍ଥ ବର୍ମା ଓ ଅନ୍ୟ ପର୍ଯ୍ୟଟନ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ବରଗଡ଼ ଧନୁଯାତ୍ରାକୁ ବିଶ୍ୱସ୍ତରରେ ପହଞ୍ଚାଇବ ପାଇଁ ଏହି ବୈଠକରେ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା। ଧନୁଯାତ୍ରାର ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଲଇଡ଼ି ଡିସପ୍ଲେ ମାଧ୍ୟମରେ ସିଧା ପ୍ରସାରଣ କରି ଡିଜିଟାଲ ପ୍ରସାରକୁ ବୃଦ୍ଧି କରିବା ସହ ଅତିଥି ଓ ପର୍ଯ୍ୟଟକମାନଙ୍କୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିବା ଉପରେ ଏହି ବୈଠକରେ ଆଲୋଚନା କରାଯାଇଥିଲା।