ବିଜେଡିକୁ ଧର୍ମେନ୍ଦ୍ରଙ୍କ କଟାକ୍ଷ: କହିଲେ-ତମେ ଜିତିଲେ ଇଭିଏମ୍ ଠିକ୍ ହାରିଲେ ଭୁଲ୍
ଓଏଲ୍ ବ୍ୟୁରୋ: ଆଜି ୨୮ ବର୍ଷରେ ପାଦ ଥାପିଲା ବିଜୁ ଜନତା ଦଳ(ବିଜେଡି)। ଆଜି ଦଳକୁ ୨୭ ପୂରି ୨୮ ଚାଲିଲା। ଏଥିପାଇଁ ଦଳର ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡି ପାଳନ କରୁଛି ଆଜି ୨୮ ତମ ପ୍ରତିଷ୍ଠା ଦିବସ। ଶଙ୍ଖ ଭବନରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ।
ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ସାମିଲ ହୋଇ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନୀ ଅନିୟମିତତା କଥା କହିଛନ୍ତି। ଯାହାକୁ ନେଇ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କଥା ଅଛି ଅଙ୍ଗୁର ନ ଖାଇ ପାରିଲେ ଖଟା। ତୁମେ ଜିତୁ ଥିଲା ବେଳେ EVM ଠିକ୍ ଆଉ ଏବେ ହାରିବା ପରେ ଭୁଲ।ଏଇଟା ହତାସର ଭାବନା, ନିର୍ବାଚନରେ ହାର ଜିତ୍ ଥାଏ। ଦେଶର ଗଣତନ୍ତ୍ରକୁ ୭୫ ବର୍ଷ ହେଇଗଲା, ସବୁ ବେଳେ କଣ ସମସ୍ତେ ଜିତିବେ। ସେପରି ହେଲେ ତ ରାଜା ରାଜୁଡ଼ା ଶାସନ ଚାଲିବ। ଏକଛତ୍ରବାଦ ଶାସନ କାରଣରୁ ଲୋକେ ଏଥରେ ହରେଇଲେ।ହାରିଥିବା କାରଣରୁ ବିଜେଡି ଦୁଃଖରେ ଅଛି, ସେ ଦୁଃଖରୁ ବାହାରିବା ଦରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଅନ୍ୟପଟେ, ବିଜେଡି ପରାଜୟର କାରଣ କହିଛନ୍ତି ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଆମେ ହାରି ନାହୁଁ, ଲୋକଙ୍କ ବିଶ୍ୱାସ ହରେଇ ନାହୁଁ। ବିଜେପି ମିଛ କହି ନିର୍ବାଚନ ଜିତିଛି। ଏତେ ମିଛ କହି ମଧ୍ୟ ବିଜେପି ଆମଠାରୁ କମ ଭୋଟ ପାଇଛି। ଆମର ଭୁଲ ହେଲା, ଆମେ ତାଙ୍କ ମିଛର କାଉଣ୍ଟର କରିପାରିଲୁ ନାହିଁ। ଆଜି ଓଡ଼ିଶାବାସୀ ଜାଣିଲେଣି ଯେ, ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ସମସ୍ତଙ୍କୁ ଅନୁରୋଧ ବିଜେପି ମିଛ ଆରୋପ ଓ ପ୍ରତିଶୃତିକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜବାବ ଦିଅନ୍ତୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।