Odisha Link
Bridging the Missing Links in Odisha

ଆଧାର, ନରେଗା ଓ ଆରଟିଆଇର ବ୍ୟବସ୍ଥା ଆରମ୍ଭ କରଥିଲେ ମନମୋହନ

ଓଏଲ୍‌ ବ୍ୟୁରୋ: ପରଲୋକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ୯୨ ବର୍ଷରେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହଙ୍କ ଦେହାନ୍ତ ହୋଇଛି। ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର ଏମର୍ଜେନ୍ସି ୱାର୍ଡରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ। ହେଲେ ଡାକ୍ତରୀ ଟିମର ସବୁ ଚେଷ୍ଟା ସତ୍ତ୍ୱେ ଶ୍ରୀ ସିଂହ ଆଖି ବୁଜି ଦେଇଛନ୍ତି। ରାତି ୯ଟା ୫୧ରେ ତାଙ୍କର ପରଲୋକ ହୋଇଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଆରବିଆର ଗଭର୍ଣ୍ଣ ଭାବେ କାମ କରି ସାରିଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ସେ ଲୋକସଭା ନିର୍ବାଚନ କେବେ ବି ଜିତି ନଥିଲେ। ରାଜ୍ୟସଭାର ସଦସ୍ୟ ଭାବେ କାମ କରି ଆସିଥିବା ଶ୍ରୀ ସିଂହ ଚଳିତ ବର୍ଷ ଏପ୍ରିଲରେ ଅବସର ନେଇଥିଲେ।

୧୯୯୧ ମସିହାରେ ଡ. ମନମୋହନ ସିଂହ ଭାରତର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ଆରମ୍ଭ କରିଥିଲେ। ତାଙ୍କ ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା। ୨୦୦୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ମନମୋହନ ସିଂହ ନରେଗା ଆରମ୍ଭ କରିଥିଲେ। ଯାହାଫଳରେ ଶ୍ରମିକଙ୍କୁ ସୁବିଧା ମିଳିଥିଲା। ତାଙ୍କ କାର୍ଯ୍ୟାକାଳରେ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମରେ ନୂଆ ଯୁଗ ଆରମ୍ଭ ହୋଇଥିଲା।

୨୦୦୫ ମସିହାରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୦୦ ଦିନର ବେତନ ରୋଜଗାରର ଗ୍ୟାରେଣ୍ଟି ଦେଇଥିଲେ। ଯାହାଫଳରେ ଦେଶର ଲକ୍ଷାଧିକ ଶ୍ରମିକ ରୋଜଗାର ପାଇଥିଲେ। ସେହିପରି ୨୦୦୫ରେ ସୂଚନା ଅଧିକାର ଅଧିନିୟମ (ଆରଟିଆଇ)କୁ ସାର୍ବଜନୀନ କରିଥିଲେ ଶ୍ରୀ ସିଂହ। ସେହିପରି ଆଧାର ଆରମ୍ଭ କରିଥିଲେ ମନମୋହନ ସିଂହ। ଶ୍ରୀ ସିଂହ ଅମଳରେ କୃଷି ସଙ୍କଟକୁ ଦୂର କରିବା ପାଇଁ ୬୦ ହଜାର କୋଟିର ଋଣ ଛାଡ଼ କରିଥିଲେ ସରକାର।

Leave A Reply

Your email address will not be published.