ଚାକିରୀରୁ ସ୍ଵେଚ୍ଛାକୃତ ଅବସର ନେଲେ ସ୍ୱାମୀ, ବିଦାୟୀ ସମ୍ବର୍ଦ୍ଧନା ସମୟରେ ଟଳିପଡ଼ିଲେ ସ୍ତ୍ରୀ

ଓଏଲ୍ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ। ହସୁଥିବା ମଣିଷ ହଠାତ ଏମିତି ଟଳିପଡ଼େ, ଆଉ କେବେ ଉଠେନି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ସୋସିଆଲ ମିଡିଆରେ ଭିଡିଓ ରୂପରେ ଘୁରି ବୁଲୁଛି। ଯାହାକୁ ଦେଖିବା ମାତ୍ରେ କେହିବି ଦୁଃଖ ପ୍ରକାଶ କରିବ। ରାଜସ୍ଥାନ କୋଟାରେ ଜଣେ ମହିଳା ନିଜ ସ୍ୱାମୀଙ୍କ ବିଦାୟୀ ସମ୍ବର୍ଦ୍ଧନା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ। ସଂଗେ ସଂଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୋସିଆଲ ମିଡିଆରେ ଘୁରିବୁଲୁଥିବା ଭିଡିଓ ଅନୁସାରେ, ମଙ୍ଗଳବାର ରାଜସ୍ଥାନର ଦେବେନ୍ଦ୍ର ନାମକ ଜଣେ ସରକାରୀ କର୍ମୀ ଚାକିରୀରୁ ସ୍ଵେଚ୍ଛାକୃତ ଅବସର ନେଉଥିଲେ। ତାଙ୍କ ଧର୍ମପତ୍ନୀଙ୍କ ସ୍ବସ୍ଥାଗତ ସମସ୍ୟାର ଦେଖାଶୁଣା କରିବା ପାଇଁ ସେ ଚାକିରୀରୁ ସ୍ଵେଚ୍ଛାକୃତ ଅବସର ନେଉଥିବା ମଧ୍ୟ କହିଥିଲେ। ତେବେ ସେ ଚାକିରୀରୁ ସ୍ଵେଚ୍ଛାକୃତ ଅବସର ନେବାରୁ ତାଙ୍କ ବିଭାଗ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଥିଲା।
ଦେବେନ୍ଦ୍ରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରିବା ସମୟରେ ତାଙ୍କ ଧର୍ମପତ୍ନୀ ଦୀପିକାଙ୍କୁ ମଧ୍ୟ ସମ୍ମାନିତ କରାଯାଉଥିଲା। ହେଲେ ହଠାତ ଫୁଲତୋଡ଼ା ଦେବା ସମୟରେ ଦୀପିକା ହସ ହସ ମୁହଁରେ ଚୌକି ଉପରେ ବସି ପଡ଼ିଥିଲେ। କିଛି ସମୟରେ ମଧ୍ୟରେ ସେ ଟେବୁଲ ଉପରେ ଟଳିପଡିଥିଲେ। ସଂଗେ ସଂଗେ ନିକଟସ୍ଥ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।