୧୫ ମନ୍ତ୍ରୀଙ୍କୁ ମିଳିଲା ୩୦ ଜିଲ୍ଲା ଦାୟିତ୍ୱ: ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ..
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ କେବଳ ସଚିବାଳୟରେ ସରକାରଙ୍କ ନୀତି ନିର୍ଦ୍ଧାରଣ, କାର୍ଯ୍ୟକାରୀତା କଥା ବୁଝିବେ ନାହିଁ ବରଂ ଜିଲ୍ଲାର ବିକାଶ ପ୍ରତି ଉତ୍ତରଦାୟୀ ରହିବେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ବିଭିନ୍ନ ମନ୍ତ୍ରୀଙ୍କୁ ଭିନ୍ନ ଭିନ୍ନ ଜିଲ୍ଲାର ଦାୟିତ୍ୱ ବାଣ୍ଟିଛନ୍ତି। ଗତକାଲି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ପ୍ରକାଶ କରାଯାଇଛି।
ବିଭିନ୍ନ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେବା ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ, କ୍ରିୟାନ୍ୱୟନ ହେବ। ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣାଣି କରାଯିବ। ଦେଇଥିବା ପ୍ରତିଶ୍ରୁତି ପାଳନ ଓ ଉତ୍ତମ ଶାସନ ବ୍ୟବସ୍ଥା ପ୍ରଚଳନ ହେବ। ସରକାରଙ୍କ ଦିଶା କଣ, ଉଦ୍ଦେଶ୍ୟ କଣ ବିରୋଧୀ ଦେଖିବାକୁ ପାଇବେ। ଏଭଳି ରାସ୍ତାରେ ଗଭର୍ଣ୍ଣାସକୁ ନେବାକୁ ଚାହୁଁଛୁ। ୫ ବର୍ଷ ନୁହେଁ, ୩ ବର୍ଷରେ ଲୋକେ ଅନ୍ୟ ରାଜନୈତିକ ଦଳକୁ ଭୁଲିଯିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
ବିଭିନ୍ନ ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ୱ ନିର୍ଦ୍ଦେଶାନାମାରେ ଜଣେ ମନ୍ତ୍ରୀଙ୍କୁ ଦୁଇଟି ଲେଖାଏଁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ପ୍ରକାଶିତ ତାଲିକାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି। ସେହିପରି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସୁନ୍ଦରଗଡ଼ ଓ ଦେବଗଡ଼ ଦାୟିତ୍ୱରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରହିଥିବା ବେଳେ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ସୋନପୁର ଓ ବଲାଘଙ୍ଗୀର ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ନିତ୍ୟାନନ୍ଦ ଗଣ୍ଡ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ୱରେ ରହିବେ। କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଅନୁଗୁଳ ଓ ସମ୍ବଲପୁର ଦାୟିତ୍ୱ ଦିଆଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଗଞ୍ଜାମ ଓ ଗଜପତି, ଡ. ମୁକେଶ ମହାଲିଙ୍ଗଙ୍କୁ ଝାରସୁଗୁଡ଼ା ଓ ବରଗଡ଼, ବିଭୁତି ଭୂଷଣ ଜେନାଙ୍କୁ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି।
ସେହିପରି ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ କନ୍ଧମାଳ ଓ ବୌଦ୍ଧ, ଗଣେଶରାମ ସିଂହ ଖୁଣ୍ଟିଆଙ୍କୁ କଳାହାଣ୍ଡି ଓ ନୂଆପଡ଼ା, ସୂର୍ଯ୍ୟବଂଶୀ ସୂରଜଙ୍କୁ ଯାଜପୁର ଓ କେନ୍ଦ୍ରାପଡ଼ା, ପ୍ରଦୀପ ବଳ ସାମନ୍ତଙ୍କୁ ଖୋର୍ଦ୍ଧା ଓ ନୟାଗଡ଼, ଗୋକୁଳାନନ୍ଦ ମଲ୍ଲିକଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ୱ ଦିଆଯାଇଥିବା ବେଳେ ସମ୍ପଦ ସ୍ୱାଇଁ ପୁରୀ ଓ ଢେଙ୍କାନାଳ ଦାୟିତ୍ୱରେ ରହିବେ।