ଡ. ମନମୋହନ ସିଂହଙ୍କ ୬ଟି ଐତିହାସିକ କାମ
ଓଏଲ୍ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଦେଶ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଓ ଦେଶ ପ୍ରତି ସମର୍ପିତ ଉଦାର ରାଜନେତାଙ୍କୁ ହରାଇଛି। ଦେଶ କଠିନ ଆର୍ଥିକ ପରିସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ଅର୍ଥ ମନ୍ତ୍ରୀର ଗୁରୁ ଦାୟିିତ୍ବ ନେଇଥିଲେ। ନିଜ ବିଚକ୍ଷଣ ଅର୍ଥନୈତିକ ଜ୍ଞାନ ବଳରେ ମନମୋହନ ଦେଶର ଅର୍ଥନୀତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ନିଜ ରାଜନୈତିକ ଯାତ୍ରା ମଧ୍ୟରେ ସେ ଦେଶର ପ୍ରଧାନମନ୍ତ୍ରୀ ପଦରେ ବି ଆସୀନ ହୋଇଥିଲେ। କଂଗ୍ରେସର ନେତୃତ୍ବ ସଙ୍କଟ ମଧ୍ୟରେ ମଙ୍ଗ ମଧ୍ୟ ଧରିଥିଲେ ମନମୋହନ ସିଂହ।
ମନମୋହନ ସିଂହଙ୍କ ଦେହାନ୍ତରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କ୍ୟାବିନେଟ୍ ମିଟିଂ ଡକାଯାଇଛି। ଆଜି ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସିବ। ଏଥିରେ ମନମୋହନ ସିଂହ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ନେଇ ଆଲୋଚନା କରାଯିବ।
ଗତକାଲି ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଆଜି ଶେଷ ଦର୍ଶନ ପାଇଁ ଦିଲ୍ଲୀ ଏମ୍ସରୁ ତାଙ୍କ ପାର୍ଥିବ ଶରୀର ବାସଭବନକୁ ନିଆଯାଇଛି। ଆସନ୍ତାକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଅନ୍ତିମ ସଂସ୍କାର ହେବ।ଶନିବାର ଦିନ ପ୍ରାୟ ୧୧ଟାରେ ଶେଷକୃତ୍ୟ ହେବ। ଏହା ପୂର୍ବରୁ ଦିଲ୍ଲୀର ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ। ବିଦେଶରେ ରହୁଥିବା ତାଙ୍କ ଝିଅ ଭାରତରେ ପହଞ୍ଚିବା ପରେ ଡ. ମନମୋହନ ସିଂହଙ୍କୁ ଅନ୍ତିମ ବିଦାୟ ଦିଆଯିବ। ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।
ଏପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଡିସେମ୍ବର ୨୬ରୁ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ପାଳନ ହେବ। ଏହା ସହିତ ଶୁକ୍ରବାର ସମସ୍ତ ସରକାର କାର୍ଯ୍ୟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମନମୋହନ ସିଂହଙ୍କ ବିୟୋଗରେ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକରେ ମଧ୍ୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ଘୋଷଣା କରାଯାଇଛି।
ଆରବିଆର ଗଭର୍ଣ୍ଣ ଭାବେ କାମ କରି ସାରିଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ସେ ଲୋକସଭା ନିର୍ବାଚନ କେବେ ବି ଜିତି ନଥିଲେ। ରାଜ୍ୟସଭାର ସଦସ୍ୟ ଭାବେ କାମ କରି ଆସିଥିବା ଶ୍ରୀ ସିଂହ ଚଳିତ ବର୍ଷ ଏପ୍ରିଲରେ ଅବସର ନେଇଥିଲେ।
୧୯୯୧ ମସିହାରେ ଡ. ମନମୋହନ ସିଂହ ଭାରତର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ଆରମ୍ଭ କରିଥିଲେ। ତାଙ୍କ ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା। ୨୦୦୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ମନମୋହନ ସିଂହ ନରେଗା ଆରମ୍ଭ କରିଥିଲେ। ଯାହାଫଳରେ ଶ୍ରମିକଙ୍କୁ ସୁବିଧା ମିଳିଥିଲା। ତାଙ୍କ କାର୍ଯ୍ୟାକାଳରେ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମରେ ନୂଆ ଯୁଗ ଆରମ୍ଭ ହୋଇଥିଲା।
ଡ. ମନମୋହନ ସିଂହଙ୍କ ୬ଟି ଐତିହାସିକ କାମ:
୧୯୯୧ ଜୁନ: ଉଦାରୀକରଣ
୨୦୦୫ ଜୁନ: ସୂଚନା ଅଧିକାର
୨୦୦୫ ସେପ୍ଟେମ୍ବର: ରୋଜଗାର ଗ୍ୟାରେଣ୍ଟି ଯୋଜନା
୨୦୦୬ ମାର୍ଚ୍ଚ: ଆମେରିକାରେ ନ୍ୟୁକ୍ଲିୟର ଡିଲ୍
୨୦୦୯ ଜାନୁଆରୀ: ଆଧାର କାର୍ଡ
୨୦୧୦ ଏପ୍ରିଲ: ଶିକ୍ଷା ଅଧିକାର