ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗର ନୂଆ ପୂର୍ବାନୁମାନ
ଓଏଲ୍ ବ୍ୟୁରୋ: ଚିନ୍ତା ବଢ଼ାଇଲା ପାଣିପାଗ ବିଭାଗର ନୂଆ ପୂର୍ବାନୁମାନ। ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ବୋଲି କାଲି ଯାଏଁ ପାଣିପାଗ କେନ୍ଦ୍ର କରୁଥିଲା ପୂର୍ବାନୁମାନ। ହେଲେ ଆସନ୍ତା ୨୮ ଓ ୨୯ ତାରିଖରେ ହାଲୁକା ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ପୁଣି ଥରେ ଅଦିନିଆ ବର୍ଷାକୁ ନେଇ ଚାଷୀକୂଳ ଛାନିଆ ହୋଇପଡ଼ିଛି। ବଡ଼ ବର୍ଷା ସମ୍ଭାବନା କମ୍ ଥିଲେ ମଧ୍ୟ ଲଗାତାର ଅଦିନିଆ ବର୍ଷାକୁ ନେଇ ଫସଲ ବରବାଦ ହୋଇପଡ଼ିଛି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ।ଏମିତିରେ ପୁଣି ବର୍ଷା ସ୍ଥିତିକୁ ଆହୁରି ବିଗାଡ଼ି ପାରେ।
୨୮ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଅଛି। ସେହିପରି ୨୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ର ଗୋଟିଏ ଦୁଇଟି ଜାଗାରେ ହାଲୁକା ବର୍ଷା ହୋଇପାରେ। କୌଣସି ସ୍ଥାନରେ ବଡ଼ ବର୍ଷା ନେଇ ଆକଳନ କରାଯାଇନାହିଁ। ରାଜ୍ୟର ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ଡିସେମ୍ବର ୩୦, ୩୧ ଏବଂ ଜାନୁଆରୀ ୧ ତାରିଖରେ ରାଜ୍ୟ ସାରା ପାଗ ଶୁଖିଲା ରହିବ।