Odisha Link
Bridging the Missing Links in Odisha

ମେଲବର୍ଣ୍ଣରେ ମନମୋହନ ସିଂହଙ୍କୁ ଟିମ୍‌ ଇଣ୍ଡିଆର ଶ୍ରଦ୍ଧାଞ୍ଜଳି

ଓଏଲ୍‌ ବ୍ୟୁରୋ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ଗତ ରାତିରେ ୯୨ ବର୍ଷ ବୟସ୍କ ଶ୍ରୀ ସିଂହଙ୍କ ପରଲୋକ ହୋଇଛି। ମନମୋହନଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ୍ କରିବାକୁ ଘୋଷଣା କରାଯାଇଛି। ସେହିପରି ମେଲବର୍ଣ୍ଣରେ ଟିମ୍‌ ଇଣ୍ଡିଆ ଶ୍ରୀ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ମେଲବର୍ଣ୍ଣ ଟେଷ୍ଟର ଦ୍ବିତୀୟ ଦିନରେ କଳାପଟି ପିନ୍ଧି ମଇଦାନକୁ ଓହ୍ଲାଇଛି।

ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜାରି ରହିଛି। ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯାଉଛି। ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସିଂହଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କଳାପଟି ବାନ୍ଧି ମ୍ୟାଚ ଖେଳିଥିବା ଦେଖିବାକୁ ମିଳିଛି। ସମସ୍ତେ ପ୍ଲେୟାର ହାତରେ କଳାପଟି ପିନ୍ଧି ଖେଳୁଥିବା ନଜର ଆସିଛି। ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀ କାଳରେ ଟିମ୍‌ ଇଣ୍ଡିଆ ୩ଟି ଆଇସିସି ଟ୍ରଫି ଜିତିଥିଲା।

ଆରବିଆର ଗଭର୍ଣ୍ଣ ଭାବେ କାମ କରି ସାରିଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ସେ ଲୋକସଭା ନିର୍ବାଚନ କେବେ ବି ଜିତି ନଥିଲେ। ରାଜ୍ୟସଭାର ସଦସ୍ୟ ଭାବେ କାମ କରି ଆସିଥିବା ଶ୍ରୀ ସିଂହ ଚଳିତ ବର୍ଷ ଏପ୍ରିଲରେ ଅବସର ନେଇଥିଲେ।

୧୯୯୧ ମସିହାରେ ଡ. ମନମୋହନ ସିଂହ ଭାରତର ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ଆରମ୍ଭ କରିଥିଲେ। ତାଙ୍କ ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା। ୨୦୦୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା ମନମୋହନ ସିଂହ ନରେଗା ଆରମ୍ଭ କରିଥିଲେ। ଯାହାଫଳରେ ଶ୍ରମିକଙ୍କୁ ସୁବିଧା ମିଳିଥିଲା। ତାଙ୍କ କାର୍ଯ୍ୟାକାଳରେ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମରେ ନୂଆ ଯୁଗ ଆରମ୍ଭ ହୋଇଥିଲା।

୨୦୦୫ ମସିହାରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୦୦ ଦିନର ବେତନ ରୋଜଗାରର ଗ୍ୟାରେଣ୍ଟି ଦେଇଥିଲେ। ଯାହାଫଳରେ ଦେଶର ଲକ୍ଷାଧିକ ଶ୍ରମିକ ରୋଜଗାର ପାଇଥିଲେ। ସେହିପରି ୨୦୦୫ରେ ସୂଚନା ଅଧିକାର ଅଧିନିୟମ (ଆରଟିଆଇ)କୁ ସାର୍ବଜନୀନ କରିଥିଲେ ଶ୍ରୀ ସିଂହ। ସେହିପରି ଆଧାର ଆରମ୍ଭ କରିଥିଲେ ମନମୋହନ ସିଂହ। ଶ୍ରୀ ସିଂହ ଅମଳରେ କୃଷି ସଙ୍କଟକୁ ଦୂର କରିବା ପାଇଁ ୬୦ ହଜାର କୋଟିର ଋଣ ଛାଡ଼ କରିଥିଲେ ସରକାର।

Leave A Reply

Your email address will not be published.