ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ବଢ଼ିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ
ଓଏଲ୍ ବ୍ୟୁରୋ: କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ ? ନା ବଢ଼ିବ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ କାର୍ଯ୍ୟକାଳ। ଏସବୁ ଚର୍ଚ୍ଚାରେ ଏବେ ବିରାମ ଲାଗିଛି। କାରଣ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି।
ସୂଚନା ଥାଉକି, ବିଜେପି ସରକାରକୁ ଆସିବା ପରେ ଜୁନ୍ ୩୦ ତାରିଖରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜା ଦାୟିତ୍ବ ଗ୍ରହଣ କରିଥିଲେ। ସେ ପ୍ରଦୀପ ଜେନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ମନୋଜ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ଆଇଏଏସ୍ ଅଫିସର୍। ପ୍ରାୟ ୪୦ ବର୍ଷ ପରେ ଅଣ ଓଡ଼ିଆ ମୁଖ୍ୟ ଶାସନ ସଚିବ ଭାବେ ସେ ପ୍ରଥମଥର ଦାୟିତ୍ୱ ଗ୍ରହଣ କରିଥିଲେ। ୩୯ ବର୍ଷ ତଳେ ଗ୍ୟାନ ଚାନ୍ଦ ଜଣେ ଅଣ ଓଡ଼ିଆ ଭାବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ। ସେ ୧୯୮୩ ଡିସେମ୍ବର ମାସରୁ ୧୯୮୫ ମସିହା ପର୍ଯ୍ୟନ୍ତ ଓଡ଼ିଶା ମୁଖ୍ୟ ଶାସନ ସଚିବ ଥିଲେ।
୧୯୯୦ ବ୍ୟାଚର ଆଇଏଏସ୍ ଅଫିସର୍ ମନୋଜ ଆହୁଜାଙ୍କ ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରିରୁ ଅବସର ନେବାର ସମୟ ଥିଲା। ତେବେ ବିଜେପି ସରକାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ପରିିବର୍ତ୍ତନ କରିବେ ନା ତାଙ୍କ କାର୍ଯ୍ୟକଳ ବୃଦ୍ଧି କରାଇବେ ଏଭଳି ଚର୍ଚ୍ଚା ହେଉଥିବାବେଳେ କେନ୍ଦ୍ରୀୟ ନିଷ୍ପତି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି। ୨୦୨୫ ଜାନୁଆରୀ ୧ରୁ ୨୦୨୬ ଜାନୁଆରୀ ୧ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକଳ ବୃଦ୍ଧି କରାଯାଇଛି।