ପୁଲିସ ଅନୁମତି ବିନା ଜିରୋ ନାଇଟ୍ ପାଳନ ମନା

ଓଏଲ୍ ବ୍ୟୁରୋ: ଆଉ କିଛି ଦିନର ଅପେକ୍ଷା, ବଦଳିବ କାଲେଣ୍ଡର। ଇଂରାଜୀ ନୂଆବର୍ଷ ଆସିବ। ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍। ଭୋଜି ଭାତ, ନାଚ ଗୀତର ଆସର ଜମିବ। ନବ ବର୍ଷ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।
ବିଶୃଙ୍ଖଳାକାରୀଙ୍କ ଉପରେ କଡ଼ା ନଜର ରଖାଯାଇଥିବାବେଳେ ଜିରୋ ନାଇଟ ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ନେଇ ଭୁବନେଶ୍ବର ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଭୁବନେଶ୍ବର ଡିସିପି ପିନାକ ମିଶ୍ର କହିଛନ୍ତି, ବିଶୃଙ୍ଖଳା ଉପରେ ପୁଲିସ ନଜର ରଖିବ। ସର୍ବସାଧାରଣରେ ପାଳନ ନେଇ ପୁଲିସ ଅନୁମତି ନେବେ। ମଦୁଆଙ୍କ ଉପରେ ନଜର ରଖିବା ପାଇଁ ଚେକିଂ ହେବ।
ଅନ୍ୟପଟେ, ଚୋରା ମଦ ବିକ୍ରି ଉପରେ ନଜର ଥିବା କହିଛନ୍ତି ଅବକାରୀ ମନ୍ତ୍ରୀ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜିରୋ ନାଇଟକୁ ନେଇ ବିଭାଗ ପ୍ରସ୍ତୁତ ହୋଇ ରହିଛି। ଚୋରା ମଦ ବିକ୍ରି ଉପରେ ଅବକାରୀ ବିଭାଗର ନଜର ରହିଛି। ଜିରୋ ନାଇଟ ପାଇଁ କୌଣସି ଅସ୍ଥାୟୀ ଲାଇସେନ୍ସ ଦିଆଯିବ ନାହିଁ।
ଜିରୋ ନାଇଟର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ। ଚୋରା ମଦ ବିକ୍ରି କଲେ ସରକାର କଡ଼ା ଦଣ୍ଡ ମିଳିବ। ଆଗାମୀ ଜାନୁଆରୀ ଶେଷ ପର୍ୟ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟକ ଜିଲ୍ଲାକୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି।