ପରୀକ୍ଷାକୁ ନେଇ ବିହାର ରାଜନୀତିରେ ହଟଚମଟ
ଓଏଲ୍ ବ୍ୟୁରୋ: ଛାତ୍ରଙ୍କୁ ନେଇ ବିହାର ରାଜନୀତିରେ ହଟଚମଟ। ଧାରଣାରତ ଛାତ୍ରମାନଙ୍କ ଉପରେ ଲାଠି ଚାଳନା କରିବା ପ୍ରସଙ୍ଗରେ ଅଡ଼ୁଆରେ ବିହାର ପୁଲିସ ଓ ଜନ ସୁରଜ ପାର୍ଟିର ସୁପ୍ରିମୋ ପ୍ରଶାନ୍ତ କିଶୋର। ପ୍ରଶ୍ନ ପତ୍ର ଲିକ୍ ମାମଲାରେ ଛାତ୍ରମାନେ ଧାରଣା ଦେଇଥିଲେ। ଆନ୍ଦୋଳନରତ ଛାତ୍ରଙ୍କୁ ଭେଟିବା ପାଇଁ ଯାଇଥିଲେ ରାଜନୀତିର ଚାଣକ୍ୟ ପ୍ରଶାନ୍ତ କିଶୋର। ହେଲେ ସେ ଆନ୍ଦୋଳନରତ ସ୍ଥାନରୁ ଯିବା ପରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ କରିିଥିଲା ପୁଲିସ। ଯାହାକୁ ନେଇ ଏବେ ବିହାରରେ ଏକପ୍ରକାର ବନ୍ଦ ସ୍ଥିତି ଦେଖିବାକୁ ମିଳିଛି।
ରବିବାର ପ୍ରଶାନ୍ତ କିଶୋର ଧାରଣା ଦେଉଥିବା ଆଶାୟୀ ମାନଙ୍କୁ ସମର୍ଥନ କରିବା ପାଇଁ ପଟନାର ଗାନ୍ଧୀ ମଇଦାନରେ ପହଞ୍ଚିଥିଲେ। ଏହି ଧାରଣାରେ ଯୋଗଦେଇ ପ୍ରଶାନ୍ତ ବିହାରରେ ହେଉଥିବା ପରିକ୍ଷାରେ ଦୁର୍ନିତି ଉପରେ ନିଜ ବକ୍ତବ୍ୟ ରଖିଥିଲେ। ନୀତିଶ କୁମାରଙ୍କୁ ବ୍ୟକ୍ତିଗତ ଭାବେ ଦିଲ୍ଲୀ ଯିବାକୁ ସମୟ ଅଛି କିନ୍ତୁ ବିହାରର ଯୁବକ ମାନଙ୍କ ସହ ଆଲୋଚନା କରିବା ପାଇଁ ସମୟ ନାହିଁ। କିନ୍ତୁ ମୁଁ ଆଶାୟୀ ମାନଙ୍କ ସହ ଅଛି ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ।
ଏହାକୁ ନେଇ ଏବେ ବିହାର ରାଜନୀତିରେ ହଟଚମଟ। ଏହି ପରିପ୍ରେକ୍ଷୀରେ ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରଶାନ୍ତ କିଶୋରଙ୍କୁ ଛାତ୍ର ବିରୋଧକୁ ବିଭ୍ରାନ୍ତ କରିଥିବା ଅଭିଯୋଗ କରିବା ସହ ପୁଲିସ ଓ ଛାତ୍ର ସଂଘର୍ଷ ପାଇଁ ବିହାର ସରକାରଙ୍କୁ ଦାୟୀ କରିଛନ୍ତି।
ସୂଚନାଥାଉକି, ବିପିଏସସିର ୭୦ ତମ ପ୍ରାରମ୍ଭିକ ପରୀକ୍ଷାକୁ ଆଉଥରେ କରିବା ପାଇଁ ଦାବି କରି ହଜାରହଜାର ଆଶାୟୀ ରବିବାର ପଟନାର ଗାନ୍ଧୀ ମଇଦାନରେ ଧାରଣା ଦେଇଥିଲେ। ଏହି ଧାରଣାରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିବା ପାଇଁ ସମସ୍ତେ ଦାବି କରିଥିଲେ। ଗତ ଡିସେମ୍ବର ୧୩ ତାରିଖରୁ ଏହି ଧାରଣା ଚାଲୁ ରହିଛି। ବିହାରର ଅନେକ ରାଜନୈତିକ ଦଳର ନେତା, ଶିକ୍ଷାବିତ୍ ଓ ବିଭିନ୍ନ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଏହି ଧାରଣାରେ ଆଶାୟୀ ମାନଙ୍କ ସହ ଯୋଗ ଦେଇଥିଲେ।
ଏହି କ୍ରମରେ ଭାରତର ରାଜନୀତିରେ ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କ ବିରୋଧରେ ରବିବାର ରାତିରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ବିହାର ଜନସେବା ଆୟୋଗ(ବିପିଏସସି)ର ଆଶାୟୀ ମାନଙ୍କ ସହ ଧାରଣା ଦେବାରୁ ତାଙ୍କ ଉପରେ ଏହି ମାମଲା ରୁଜୁ କରାଯାଇଥିଲା।