ନୂଆବର୍ଷ ପୂର୍ବରୁ ଜଗା ଦର୍ଶନ ପାଇଁ ପୁରୀରେ ଜନସମାଗମ, କାଲିଠୁ ପ୍ରବେଶ କଟକଣା

ଓଏଲ୍ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଂଚିଛି ଇଂରାଜୀ ବର୍ଷ ୨୦୨୪ ଆଉ ଆରମ୍ଭ ହେବାକୁ ଯାଉଛି ଆଉ ଏକ ଇଂରାଜୀ ନୂଆ ବର୍ଷ। ନୂଆ ବର୍ଷ ଆଗମନକୁ ସ୍ୱାଗତ କରିବା ସମସ୍ତେ ବିଭିନ୍ନ ଉପାୟରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମନ୍ଦିର, ପର୍ଯ୍ୟଟନ ସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ ଆଦି ସ୍ଥଳରେ ମଧ୍ୟ ପ୍ରସ୍ତୁତି କରାଯାଇଛି। ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତ ସମାଗମ ଦେଖିବାକୁ ମିଳିଛି।
ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚାଲିଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ୨୦୨୪ ଡିସେମ୍ବର ୩୧ (ମଙ୍ଗଳବାର) ଓ ୨୦୨୫ ଜାନୁଆରି ୧ (ବୁଧବାର) ଦିନ ସାଧାରଣ ଭକ୍ତମାନଙ୍କୁ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଭକ୍ତମାନେ ଅନ୍ୟ ୩ଟି ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। କିନ୍ତୁ ପ୍ରସ୍ଥାନ କରିପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।