ବକ୍ସିଂ ଡେ ଟେଷ୍ଟ ହାରିଲା ଭାରତ, ୧୮୪ ରନ୍ରେ ଜିତିଲା ଅଷ୍ଟ୍ରେଲିଆ
ଓଏଲ୍ ବ୍ୟୁରୋ: ବକ୍ସିଂ ଡେ’ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ମାତ୍ ଦେଲା ଅଷ୍ଟ୍ରେଲିଆ। ୧୮୪ ରନ୍ରେ ପରାସ୍ତ ହୋଇଛି ଭାରତ। ଏଥିସହିତ ବର୍ଡର-ଗାଭାସ୍କର ଟ୍ରଫିରେ ୨-୧ରେ ଆଗୁଆ ରହିଛି ଅଷ୍ଟ୍ରେଲିଆ। ସବୁଠୁ ବଡ଼କଥା ହେଲା ଦ୍ବିତୀୟ ଇନିଂସ୍ରେ ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି। ଶୋଚନୀୟ ପରାଜୟ ସହିତ ଭାରତ ଏବେ ବ୍ୟାକ୍ଫୁଟରେ।
ବକ୍ସିଂ ଡେ ଟେଷ୍ଟର ଦ୍ବିତୀୟ ଇନିଂସ୍ରେ ଭାରତ ଆଗରେ ୩୩୯ ରନ୍ର ଟାର୍ଗେଟ ରଖିଥିଲା ଅଷ୍ଟ୍ରେଲିଆ। ଭାରତକୁ ମ୍ୟାଚ୍କୁ ଜିତିବାକୁ ହେଲେ ୩୩୯ ରନ୍ ଦରକାର ଥିବାବେଳେ ଅଷ୍ଟ୍ରେଲିଆକୁ ଦରକାର ଥିଲା ୧୦ ଓ୍ବିକେଟ। ଭାରତ ପକ୍ଷରୁ ଯଶ୍ବସୀ ଜୟଶଓ୍ବାଲ ଓ ଋଷଭ ପନ୍ତ ଦୁଇ ଅଙ୍କ ଛୁଇଁଥିବା ବେଳେ ୮ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଅଷ୍ଟ୍ରେଲିଆ ୧୦ ଓ୍ବିକେଟ ନେଇ ମ୍ୟାଚକୁ ସହଜରେ ଜିତି ନେଇଛି।
ଭାରତ ଦଳ ପକ୍ଷରୁ ଯଶ୍ବସୀ ଜୟଶଓ୍ବାଲ ସର୍ବାଧିକ ୮୪ ରନ୍ କରିଥିବା ବେଳେ ଋଷଭ ପନ୍ତ ୩୦ ରନ୍ କରିଥିଲେ। ଅଷ୍ଟ୍ରେଲିିଆ ପକ୍ଷରୁ ପ୍ୟାଟ୍ କମିନ୍ସ, ସ୍କଟ ବୋଲାଣ୍ଡଙ୍କୁ ୩ ଓ୍ବିକେଟ ସଫଳତା ମିଳିଥିବା ବେଳେ ନାଥନ ଲାୟନ ୨ ଓ ଟ୍ରାଭିସ୍ ହେଡ,ମିଚେଲ ଷ୍ଟ୍ରାକ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି।