ବିଦାୟ ୨୦୨୪: ୨୦୨୫ରେ ହେବ ୧୦ଟି ବଡ଼ ପରିବର୍ତ୍ତନ
ଓଏଲ୍ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା। ବିଦାୟ ନେବ ୨୦୨୪। ବଳଦିବ କ୍ୟାଲେଣ୍ଡର। ଆରମ୍ଭ ହେବ ୨୦୨୫ ବର୍ଷ। ୨୦୨୫ରେ ୧୩ଟି ମୁଖ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କିଛିଟା ଆପଣଙ୍କୁ ସୁହାଇ ପାରେ। ଆଉ କିଛି ପରିବର୍ତ୍ତନ ଆପଣଙ୍କ ପକେଟ ଉପରେ ବୋଝ ହୋଇପାରେ। ଯାହାକୁ ନେଇ ଏହି ସ୍ବତନ୍ତ୍ର ରିପୋର୍ଟ।
ୟୁପିଆଇ ପେମେଣ୍ଟର ଲିମିଟ୍ ୨ ଗୁଣା:
ଫିଚର ଫୋନରେ ୟୁୁପିଆଇ ବ୍ୟବହାର କରୁଥିବା ଲୋକ ଜାନୁଆରୀ ୧ ତାରିଖରୁ ୧୦ ହଜାର ପର୍ଯ୍ୟନ୍ତ ଅନଲାଇନ୍ ପେମେଣ୍ଟ କରି ପାରିବେ। ବର୍ତ୍ତମାନ ଫିଚର ଫୋନରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ ହୋଇ ପାରୁଥିଲା।
ଯେକୌଣସି ବ୍ୟାଙ୍କରୁ ପେନ୍ସନ୍ ଉଠାଇ ପାରିବେ:
ପେନସନ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଜାନୁଆରୀ ପହିଲାରୁ ପେନ୍ସନ୍ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର। ଜାନୁଆରୀ ପହିଲାରୁ ପେନ୍ସନ୍ ଉପଭୋକ୍ତା ଦେଶର କୌଣସି ବି ବ୍ୟାଙ୍କରୁ ପେନ୍ସନ୍ ଟଙ୍କା ଉଠାଇ ପାରିବେ। ଏଥିପାଇଁ ଅତିରିକ୍ତ ଭେରିଫିକେଶନ୍ ଆବଶ୍ୟକ ହେବ। ପୂର୍ବରୁ ଯେଉଁ ବ୍ୟାଙ୍କ ଓ ବ୍ରାଞ୍ଚରେ ଆକାଉଣ୍ଟ ଥିଲା, ସେହିଠାରୁ ହିଁ ପେନ୍ସନ୍ ଟଙ୍କା ଉଠାଇ ପାରୁଥିଲେ ଉପଭୋକ୍ତା।
କୃଷକଙ୍କୁ ବିନା ଗ୍ୟାରେଣ୍ଟିରେ ମିଳିବ ୨ ଲକ୍ଷ:
ଜାନୁଆରୀ ପହିଲାରୁ କୃଷକଙ୍କୁ ବିନା ଗ୍ୟାରେଣ୍ଟିରେ ମିଳିବ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍। ଆରବିଆଇ ଗଭର୍ଣ୍ଣର ଡିସେମ୍ବର ମାସରେ ଏହି ଘୋଷଣା କରିଥିଲେ। ବର୍ତ୍ତମାନ କୃଷକଙ୍କୁ ବିନା ଗ୍ୟାରେଣ୍ଟିରେ ୧.୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ମିଳୁଥିଲା।
କଲିଙ୍ଗ ପାଇଁ ଅଲଗା ରିଚାର୍ଜ:
ଏଣିକି ଟେଲିକମ୍ କମ୍ପାନୀ ଭଏସ୍ + ଏସ୍ଏମ୍ଏସ୍ ପ୍ୟାକର ବିିକଳ୍ପ ଦେବ। ଯେଉଁ ୟୁଜର ଡାଟା ପ୍ୟାକ ଚାହାନ୍ତିନାହିଁ, ସେମାନଙ୍କୁ ଏହା ସୁବିଧା ହେବ। ଯାହାଫଳରେ ନୂଆ ପ୍ୟାକ ଶସ୍ତା ହେବ। ବର୍ତ୍ତମାନ ଯେଉଁ ୟୁଜର କଲିଙ୍ଗ ପାଇଁ କେବଳ ଫୋନ ବ୍ୟବହାର କରୁଥିଲେ ସେମାନେ ଡାଟା ରିଚାର୍ଜ କରିବାକୁ ବାଧ୍ୟ ହେଉଥିଲେ।
କାର-କମର୍ଶିଆଲ ଗାଡ଼ି ମହଙ୍ଗା:
ମାରୂତି, ହୁଣ୍ଡାଇ, ଟାଟା, କିଆ ଓ ଏମ୍ଜିର ଗାଡ଼ି ଗୁଡ଼ିକ ଜାନୁଆରୀ ପହିଲାରୁ ମହଙ୍ଗା ହେବ। ବାଇକ୍ ଓ କମର୍ଶିଆଲ ଗାଡ଼ିର ମୂଲ୍ୟ ୨-୩% ମହଙ୍ଗା ହେବ। କାରଣ ଗାଡ଼ି ନିର୍ମାଣରେ ଲାଗୁଥିବା ଜିନିଷର ମୂଲ୍ୟ ବୃଦ୍ଧି ପାଇଛି।
ପୁରୁଣା ଫୋନ୍ରେ ଚାଲିବନି ହ୍ବାଟସଅପ୍:
ଜାନୁଆରୀ ପହିଲାରୁ ପୁୁରୁଣା ଫୋନ୍ରେ ଚାଲିବନି ହ୍ବାଟସ୍ଆପ୍। ଆଣ୍ଡ୍ରଏଡ୍ର ୪.୪ (କିଟ୍କେଟ) ଭର୍ସନ ଓ ତା ପୂର୍ବର ଭର୍ସନ ଥିବା ମୋବାଇଲେ ହ୍ବାଟସ୍ଆପ୍ କାମ କରିବ ନାହିଁ। କାରଣ ହ୍ବାଟସ୍ଆପ୍ର ମେଟା ଏଆଇ ଫିଚର ଆଣ୍ଡ୍ରଏଡ୍ ୪.୪ ର ଅପଡେଟ ଭର୍ସନରେ ହିଁ କାମ କରୁଛି।
ପ୍ରଦୂଷଣ ନିୟମ କଡ଼ାକଡ଼ି ହେବ:
କିଛିବର୍ଷ ହେବ ଭାରତରେ ପ୍ରଦୂଷଣର ମାତ୍ରା ବଢ଼ି ଚାଲିଛି। ତାହାକୁ ନଜରରେ ରଖି ସରକାର ପ୍ରଦୂଷଣ ନିୟମ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗାଡ଼ି ଯୋଗୁଁ ହେଉଥିବା ପ୍ରଦୂଷଣକୁ ନିୟନ୍ତ୍ରିତ କରିବା ପାଇଁ ଏପ୍ରିଲ ୧ରୁ ଦେଶରେ ବିଏସ୍-୭ ଲାଗୁ ହେବ। ବର୍ତ୍ତମାନ ୨୦୧୯ ଏପ୍ରିଲ ୧ରୁୁ ବିଏସ୍-୬ ଲାଗୁ ହୋଇଛି।
କ୍ରିକେଟରେ ଦୁଇଟି ବଡ଼ ପରିବର୍ତ୍ତନ:
ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ଅଧିନାୟକ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି। ସେ ପୁଣିଥରେ ଆରସିବିର ଅଧିନାୟକ ହେବେ ବୋଲି ସୂଚନା ରହିଛି। ସେହିପରି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ପରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବେ ଅଧିନାୟକ ରୋହିତ ଶର୍ମା। ଭାରତୀୟ ଦଳକୁ ନୂଆ ଅଧିନାୟକ ମିଳିବ।
୫-୮ମରୁ ଉଚ୍ଛେଦ ହେଲା ନୋ ଡିଟେନସନ୍ ପଲିସି:
ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ନୋ ଡିଟେନସନ୍ ପଲିସି ଶେଷ ହେବା ଫଳରେ ୫ମ ଓ ୮ମ ଫେଲ୍ ହେଉଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟ ଶ୍ରେଣୀକୁ ପ୍ରମୋଟ କରାଯିବ ନାହିଁ। ଫେଲ୍ ଛାତ୍ରଛାତ୍ରୀଙ୍କ ଦୁଇ ମାସ ଭିତରେ ଦ୍ବିତୀୟ ଥର ପାଇଁ ପରୀକ୍ଷାରେ ପାସ୍ ହେବାକୁ ପଡ଼ିବ। ବର୍ତ୍ତମାନ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ପାସ୍ ହେଉଥିଲେ।
ଛାତ୍ରଛାତ୍ରୀଙ୍କୁ ୧୬ ବର୍ଷ ହେଲେ ହିଁ କୋଚିଂ ନେଇ ପାରିବେ:
କୋଚିଂ ସେଣ୍ଟରରେ ୧୬ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀ ଆଡମିଶନ ନେଇ ପାରିବେ ନାହିଁ। କୌଣସି କୋଚିଂ ସେଣ୍ଟର ଯଦି ମିଛ ବିଜ୍ଞାପନ ପ୍ରକାଶ କଲା ତେବେ ଜୋରିମାନା ଲାଗିବ।