ନୂଆବର୍ଷ ପାଇଁ ପୁରୀରେ ଟ୍ରାଫିକ କଟକଣା, ଏହି ସବୁ ସ୍ଥାନରେ ୪ ଚକିଆ ଯାନ ମନା
ଓଏଲ୍ ବ୍ୟୁରୋ: ବଦଳିବ କ୍ୟାଲେଣ୍ଡର। ଆଜି ଇଂରାଜୀ ବର୍ଷ-୨୦୨୪ ବିଦାୟ ନେବ। ନୂଆବର୍ଷ-୨୦୨୫ ଆସିବ। ନୂଆବର୍ଷ ପାଇଁ ଯୁବପିଢ଼ି ଉତ୍ସାହିତ ଦେଖାଯାଇଛନ୍ତି। ମନ୍ଦିର, ପର୍ଯ୍ୟଟନ ସ୍ଥଳୀ, ହୋଟେଲ, ରେଷ୍ଟୁରାଣ୍ଟ, ପାର୍କ ଆଦି ସ୍ଥଳରେ ମଧ୍ୟ ପ୍ରସ୍ତୁତି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଚାଲିଛି। ଆଜିଠୁ ଆସନ୍ତାକାଲି ଯାଏ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ପୁରୀ ମାର୍କେଟ ଛକଠାରୁ ‘ନୋ ଭେହିକିଲ୍ ଜୋନ୍’। ମେଡିକାଲ ଛକରୁ ଶ୍ରୀମନ୍ଦିର ଓ ବେଳାଭୂମିକୁ ୪ଚକିଆ ଯାନ ବାରଣ କରାଯାଇଛି।
ଡିସେମ୍ବର ୩୧ ଓ ଜାନୁଆରୀ ୧ରେ ଶ୍ରୀମନ୍ଦିର ଭିତରେ, ବାହାରେ ତଥା ସମୁଦ୍ର କୂଳରେ ଭିଡକୁ ନଜରରେ ରଖି କଡ଼ା ସୁରକ୍ଷା ସହ ସିସିଟିଭି ଦ୍ୱାରା ନଜର ରଖାଯିବ। ସେପଟେ ଶ୍ରୀମନ୍ଦିରରେ ଭିଡ଼କୁ ନଜରରେ ରଖି କେବଳ ସିଂହଦ୍ୱାର ଦେଇ ଏକ ମୁଖୀ ପ୍ରବେଶର ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ମାନେ ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ।
୨୦୨୪ ବର୍ଷକୁ ବିଦାୟ ଦେବା ସହ ଇଂରାଜୀ ନୂଆ ବର୍ଷ ୨୦୨୫କୁ ସ୍ୱାଗତ କରି ବର୍ଷ ଆରମ୍ଭ ପାଇଁ ଶ୍ରୀକ୍ଷେତ୍ରରେ ଏବେ ଠାରୁ ପ୍ରବଳ ଭିଡ ପରିଲକ୍ଷିତ ହେବାରେ ଲାଗିଅଛି। ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ନଜରରେ ରଖି ଶ୍ରୀମନ୍ଦିରରେ ଶାନ୍ତି ଶୃଙ୍ଖଳା ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ସମେତ ସମୁଦ୍ର କୂଳ ଅଂଚଳରେ ଗହଳି ନିୟନ୍ତ୍ରଣ ନେଇ ୬୦ ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ, ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବା ସହ ବଡ଼ଦାଣ୍ଡ ମାର୍କେଟ ଛକ ଠାରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ପୁରୀରେ ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ି ଗୁଡିକ ଜେଲ୍ ରୋଡ ଏବଂ ଶରଧାବାଲି ପାର୍କିଂରେ ଗାଡ଼ି ରଖିବେ।
ସେହିପରି କୋଣାର୍କ ପଟୁ ଆସୁଥିବା ଗାଡ଼ି ଗୁଡିକ ତାଳବଣିଆ ପଡ଼ିଆ, ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ଗୁଡିକ ଷ୍ଟ୍ରଲିଙ୍ଗ ଏବଂ ଯାତ୍ରୀକାରେ ଗାଡ଼ି ପାର୍କିଂ ନେଇ ବ୍ୟବସ୍ଥା ହୋଇଛି। ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ଦିନ ବଡ଼ଦାଣ୍ଡର ମେଡିକାଲ୍ ଛକରୁ ଶ୍ରୀମନ୍ଦିର ଏବଂ ମେଡିକାଲ୍ ଛକରୁ ଭିଆଇପି ରୋଡ ଦେଇ ଲାଇଟ୍ ହାଉସ ଛକ ଯାଏଁ ଚାରିଚକିଆ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିବ।