ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଓଡ଼ିଶାରେ ପହଞ୍ଚିଲା ଡବଲ୍ ଡେକର ଇ-ବସ୍
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ଗଡ଼ିବ ଡବଲ୍ ଡେକର୍ ଇ-ବସ୍। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ କ୍ରୁଟ ଚଳାଇବ ୫ଟି ବସ୍।ଭୁବନେଶ୍ବର, କଟକ, ପୁରୀ ଓ କୋଣାର୍କରେ ଗଡ଼ିବ ଡବଲ୍ ଡେକର୍ ଇ-ବସ୍। ଏଥିପାଇଁ ଓଡ଼ିଶାରେ ପହଞ୍ଚିଲା ଡବଲ୍ ଡେକର ବସ୍।ମହାରାଷ୍ଟ୍ରରୁ ଆସିଥିବା ଡବଲ୍ ଡେକର ବସ୍ ବ୍ରହ୍ମପୁରରେ ପହଁଚିଥିବା ସୂଚନା ରହିଛି।
ମହାରାଷ୍ଟ୍ରରୁ ଆସିଥିବା ଡବଲ୍ ଡେକର ବସ୍ରେ ଓଡ଼ିଆ କଳା, ସଂସ୍କୃତିର ଚିହ୍ନ ପ୍ରତିଫଳିତ ହୋଇଛି। ବସ୍ର ଆଗ ପାର୍ଶ୍ଵରେ ରହିଛି ସୁଦୃଶ୍ୟ କୋଣାର୍କ ଚକ୍ର ଚିହ୍ନ। କଟକ ବାଲିଯାତ୍ରା, ଶ୍ରୀଜଗନ୍ନାଥ ମନ୍ଦିର ଚିତ୍ର ସହ ଓଡ଼ିଶୀ ନୃତ୍ୟର ଛାପ ମଧ୍ୟ ରହିଛି। ଭୁବନେଶ୍ଵରରେ ପ୍ରବାସୀ ଭାରତୀୟଙ୍କୁ ବୁଲାଇବ ଏହି ବସ୍। ବସ୍ରେ ରଖାଯାଇଛି ଓଡ଼ିଆ ସଂସ୍କୃତିର ଝଲକ।
ପୂର୍ବରୁ ଡବଲ୍ ଡେକର୍ ଇ-ବସ୍ ପାଇଁ କ୍ରୁଟ ଟେଣ୍ଡର ଆହ୍ବାନ କରିଥିଲା। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇ କହିଥିଲେ, ପ୍ରଦୂଷଣରୁ ରକ୍ଷା କରିବ ଇଲେକ୍ଟ୍ରିକ ବସ୍ ଏବଂ ଏହି ବସ୍ ଭଲ ଚାଲିଲେ ଏହାର ସଂଖ୍ୟା ବୃଦ୍ଧି କରାଯିବ।
ପ୍ରଥମେ କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ପୁରୀ ଗଡିବ ଇ-ବସ୍। ଭିଡ଼ ସହ ପ୍ରଦୂଷଣ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ପ୍ରବାସୀ ଭାରତୀୟ ଦିବସ ଅବସରରେ ଏହି ବସ ଚଳାଚଳ ଆରମ୍ଭ ହେବା ନେଇ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।