କୁମ୍ଭମେଳା ପାଇଁ ଚଳଚଞ୍ଚଳ ପ୍ରୟାଗରାଜ, ବିସ୍ଫୋରଣ ଧମକ ପରେ ପୁଲିସ ସଜାଗ
ଓଏଲ୍ ବ୍ୟୁରୋ: ମହାକୁମ୍ଭ ମେଳା ପାଇଁ ଆରମ୍ଭ ହୋଇଯାଇଛି ବଡ଼ ପ୍ରସ୍ତୁତି। ଭାରତର ସର୍ବବୃହତ ଧାର୍ମିକ ମହୋତ୍ସବ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ୨୦୨୫ରେ କୁମ୍ଭମେଳା ପାଇଁ ପ୍ରୟାଗରାଜରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥର ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ମହାକୁମ୍ଭ ମେଳା। ଯେଉଁଥିରେ ପ୍ରାୟ ୪୦ କୋଟି ଲୋକଙ୍କ ସମାଗମ ହେବା ଆଶା କରାଯାଉଛି। ଦେଶ ତଥା ବିଦେଶରୁ ଅତିଥୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ୟୁପି ସରକାର ଚଳିତ ଥର ନୂଆ ନୂଆ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
୧୨ ବର୍ଷରେ ଥରେ ହେଉଥିବା ଏହି ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ବିସ୍ଫୋରଣ ଭୟ ସାମ୍ନାକୁ ଆସିଛି। ମହାକୁମ୍ଭମେଳାରେ ବିସ୍ଫୋରଣ ଘଟାଇବାକୁ ଧମକ ମିଳିଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ଧମକ ମିଳିବା ପରେ ପୁଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ‘ଏକ୍ସ’ରେ ପ୍ରକାଶିତ ପୋଷ୍ଟରେ ଦର୍ଶାଯାଇଛି ଯେ, ଜାନୁଆରୀ ୧୩ ତାରିଖରେ ଏହି ବିସ୍ଫୋରଣ ଘଟାଯିବ। ଏହି ବିସ୍ଫୋରଣ ଦ୍ବାରା ପ୍ରାୟ୧ ହଜାର ଲୋକଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଏହି ପୋଷ୍ଟରେ କୁହାଯାଇଛି।
ସେପଟେ କୁମ୍ଭମେଳାରେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ମଧ୍ୟ ତାର ପ୍ରସ୍ତୁତି ଜୋରଦାର କରିଛି। କେମିକାଲ, ବାୟୋଲୋଜିକାଲ, ରେଡିଓଲୋଜିକାଲ ଏବଂ ନ୍ୟୁକ୍ଲିୟର ଆକ୍ରମଣରେ ଆହତ ଲୋକଙ୍କ ଚିକିତ୍ସା ପାଇଁ ଗୃହ ମନ୍ତ୍ରଣାଳୟ ୨୫ଟି ବିଶେଷଜ୍ଞ ଦଳ ଗଠନ କରିଛି। ସୁରକ୍ଷା ଏଜେନ୍ସି ଏନଆଇଏ ମାଧ୍ୟମରେ ମହାକୁମ୍ବ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ବିଶେଷ ସତର୍କତା ଅବଲମ୍ବନ କରୁଛି।