ଆଜିଠୁ +୨ ପ୍ରାକ୍ଟିକାଲ ପରୀକ୍ଷା, ଫେବୃଆରୀ ୧୮ରୁ ଥିଓରି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ଓଏଲ୍ ବ୍ୟୁରୋ: ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି। ସମସ୍ତ କଲେଜରେ ଯୁକ୍ତ ଦୁଇ ପିଲାଙ୍କ ଇଣ୍ଟରନାଲ ପରୀକ୍ଷା ଶେଷ ହୋଇଥିବାବେଳେ ଆଜିଠାରୁ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେଉଛି। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଆସନ୍ତା ଫେବୃଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏ ଚାଲିବ। ଏନେଇ କଲେଜମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ବର୍ଷ ସାରା ରାଜ୍ୟରେ ମୋଟ ୧୨୭୬ଟା ସେଣ୍ଟରରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ। ଥିଓରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୫ ମିନିଟ୍ ପୂର୍ବରୁ ହଲ୍ରେ ପ୍ରବେଶ ସହ ସିଟ୍ରେ ବସିବେ।
ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେବାକୁ ୩ଲକ୍ଷ ୯୧ ହଜାର ୮୦୯ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ରେଗୁଲାରରେ ୩ ଲକ୍ଷ ୬୪ ହଜାର ୫୨୭ ଏବଂ ଏକ୍ସରେଗୁଲାରରେ ୨୭ହଜାର ୨୮୨ଜଣ ଅଛନ୍ତି। କଳା ବିଭାଗରେ ସର୍ବାଧିକ ୨,୪୫,୯୮୭, ବିଜ୍ଞାନରେ ୧,୧୪,୭୨୩, ବାଣିଜ୍ୟରେ ୨୫,୩୯୯ ଓ ଧନ୍ଦାମୂଳକ ବିଭାଗରେ ୫,୭୦୦ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରରେ ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା କରିବା ସହ ସିସିଟିଭି ବାଧ୍ୟତାମୂଳକ କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।