Odisha Link
Bridging the Missing Links in Odisha

ସିଡନୀ ଟେଷ୍ଟରୁ ରୋହିତ ଆଉଟ୍‌ !

ଓଏଲ୍‌ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା। ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍। ସିଡନୀ ଗ୍ରାଉଣ୍ଡରେ ଭାରତ ଖେଳିବ କର ବା ମର ମ୍ୟାଚ୍। ତେବେ ସିଡନୀ ମ୍ୟାଚ ଅଧିନାୟକ ରୋହିତ ଶର୍ମା ଖେଳିବେ ନା ନାହିଁ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କାରଣ ବକ୍ସିଂ ଡେ’ ଟେଷ୍ଟ ହାରିବା ପରେ ସମାଲୋଚନାର ଶିକାର ହୋଇଛନ୍ତି ରୋହିତ ଶର୍ମା। ସିଡନୀ ଟେଷ୍ଟର ଦିନକ ପୂର୍ବରୁ ଅଚାନକ ଦଳର କୋଚ ଗୌତମ ଗମ୍ଭୀର ଆସି ସାମ୍ବାଦିକ ସମ୍ମିଳନୀ କରିବା ରୋହିତଙ୍କ ନଖେଳିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି।

ସିଡ୍‌ନୀ ଟେଷ୍ଟ ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ନଜର ଆସିଥିଲେ। ସେ ମଧ୍ୟ ରୋହିତ ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶରେ ରହିବେ କି ନାହିଁ, ତା’ର ଉତ୍ତର ଦେଇନାହାନ୍ତି। ପିଚ୍‌କୁ ଦେଖି ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ ହେବ ବୋଲି କହିବା ପରେ ରୋହିତ ଦଳରେ ନଥିବା ସ୍ପଷ୍ଟ ହୋଇଛି।

ରୋହିତ ବର୍ଡର-ଗାଭାସ୍କର ଟ୍ରଫିରେ ଏଯାଏ ୩ଟି ଟେଷ୍ଟ ଖେଳିଥିବା ବେଳେ କେବଳ ୩୧ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ମାତ୍ର ୬ ରହିଛି। ଏଥିପାଇଁ ରୋହିତଙ୍କୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ରୋହିତଙ୍କୁ ଟିମ ଇଣ୍ଡିଆରୁ ବାଦ ଦେବାକୁ ନିଷ୍ପତ୍ତି ହୋଇଥିବା ସୂଚନା ରହିଛି।

ଆଜିର ଅଭ୍ୟାସ ଶିବିରରେ ରୋହିତଙ୍କୁ ଅଳ୍ପ ସମୟ ପାଇଁ ଦେଖିବାକୁ ମିଳିଥିଲା। ଟିମ ଇଣ୍ଡିଆର ଅଭ୍ୟାସ ଶିବିରରେ ରୋହିତଙ୍କୁ ସ୍ଲିପ କର୍ଡନରେ ଦେଖିବାକୁ ମିଳି ନଥିଲା। ବିରାଟ ପ୍ରଥମ ସ୍ଲିପରେ ଥିବା ବେଳେ କେଏଲ ରାହୁଲ ଦ୍ୱିତୀୟ ଓ ନୀତୀଶ କୁମାର ରେଡ୍ଡୀ ତୃତୀୟ ସ୍ଲିପରେ ରହିଥିଲେ। ଏହି ଫିଲ୍ଡିଂ ଅଭ୍ୟାସରୁ ମଧ୍ୟ ସ୍ପଷ୍ଟ ହେଉଛି ଯେ ରୋହିତ ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନପାଇ ପାରନ୍ତି।

Leave A Reply

Your email address will not be published.