ଓଡ଼ିଶାର ୨୭ତମ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମପାଟି। ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି। ଗତ ଡିସେମ୍ବର ୨୪ ତାରିଖରେ ହରିବାବୁ କମ୍ଭମପାଟିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଇଥିବା ମହାମହିମ ରାଜ୍ୟପାଳଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତା ଏବଂ ନେତୃତ୍ଵରେ ରାଜ୍ୟରେ ଶାସନ ବ୍ୟବସ୍ଥା ଆହୁରି ସୁଦୃଢ ହେବା ସହ ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ନିର୍ମାଣ ସାକାର ରୂପ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନା ଅନୁସାରେ, ଗତକାଲି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ। ଭୁବନେଶ୍ବରରୁ ସେ ପୁରୀ ଯାଇଥିଲେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ଡକ୍ଟର ହରିବାବୁ ଓ ତାଙ୍କ ପରିବାର। ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି ନୂଆ ରାଜ୍ୟପାଳ। ଗତକାଲି ପୁରୀ ରାଜଭବନରେ ରାତ୍ରିଯାପନ ପରେ ଆଜି ଭୁବନେଶ୍ବର ଫେରି ରାଜଭବନରେ ଶପଥ ଗ୍ରହଣ କରିଛନ୍ତି।