Odisha Link
Bridging the Missing Links in Odisha

‘ଦୁବାଇ ଯିବ ଓଡ଼ିଶା ଚାଉଳ, ଚାଷୀଙ୍କୁ ମିଳିବ ଉଚିତ୍ ମୂଲ୍ୟ’

ଓଏଲ୍‌ ବ୍ୟୁରୋ: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ତିନି ଦିନିଆ କୃଷି ଓଡ଼ିଶା-୨୦୨୫ର ସମାରୋହ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ୩ ଦିନ ଧରି ଅନୁଷ୍ଠିତ ହେଉଛି। ସାରା ରାଜ୍ୟରୁ ହଜାର ହଜାର ଚାଷୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ମେଳାରେ କୃଷି ଉପକରଣ, ଉନ୍ନତ ପ୍ରଣାଳୀର ଚାଷ ପଦ୍ଧତି, ଉନ୍ନତ କିଷମର ବିହନ ଓ ବିଭିନ୍ନ ପ୍ରକାରର କୃଷି ସମ୍ବନ୍ଧୀୟ ଜ୍ଞାନକୌଶଳ ପ୍ରଦର୍ଶିତ କରାଯାଉଛି। ଯାହା ଚାଷୀ ଆୟ ବୃଦ୍ଧିରେ ସହାୟକ ହେବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁବାଇ ଯିବ ଓଡ଼ିଶାର ସୁଗନ୍ଧିତ ଚାଉଳ। ଦୁବାଇର ୨ଟି ସଂସ୍ଥା ସହ ଓଡ଼ିଶା କୃଷି ବିଭାଗର ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। କୃଷି ଓଡ଼ିଶା ୨୦୨୫ କାର୍ଯ୍ୟକ୍ରମରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ତେବେ ଓଡିଶା ଠାରୁ ସୁଲଭ ମୂଲ୍ୟରେ ଦୁବାଇ ଚାଉଳ କିଣିବ। ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ହୋଇଥିବା ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। କୃଷି ଓଡ଼ିଶା ସମ୍ମିଳନୀ ୨୦୨୫କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ ଭାବେ ତାଲିକାଭୁକ୍ତ ନଥିଲା। ଆଜି ସରକାର ଚାଷୀଙ୍କ କ୍ଷତିକୁ ଦେଖି, ଚାଷୀଙ୍କ ଦୁଃଖକୁ ଅନୁଭବ କରି ଏ ପ୍ରକାରର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠି(ଏସଡିଆରଏଫ)ରୁ ଅଦିନିଆ ବର୍ଷରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଯେଉଁ ଚାଷୀଙ୍କ ଫସଲ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଥିବ, ସେମାନେ ଏହି ସହାୟତା ପାଇବେ। ଇତିମଧ୍ୟରେ ୩୩ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ତାଲିକା କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରୁ ହସ୍ତଗତ ହୋଇଛି। ରିପୋର୍ଟ ଅନୁଯାୟୀ ମୋଟ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି। ଏଥିପାଇଁ ରାଜ୍ୟ ସରକାର ଏସଡିଆରଏଫରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରି ସହାୟତା ଅଦିନିଆ ବର୍ଷା ଫସଲ କ୍ଷତି ସମୟରେ ଚାଷୀ ଆଗରୁ କେବେ ପାଇନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କୁ ୨୩୦୦ ଟଙ୍କା ଏମଏସପି ସହ ୮୦୦ ଟଙ୍କାର ଇନପୁଟ ସବସିଡି ପ୍ରଦାନ ପାଇଁ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲୁ। ତାହାକୁ ଏବେ ଆମେ ପୂରଣ କରିବା ଆରମ୍ଭ କରିଛୁ। ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର। ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଆମ ପିଛା ଛାଡୁନାହିଁ। ବାତ୍ୟା ଦାନା ସମୟରେ ଚାଷୀଙ୍କ ସୁରକ୍ଷା ସହ ଯେପରି ଧନ ଜୀବନ ହାନୀ ନଘଟେ, ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ବାରମ୍ବାର ସମୀକ୍ଷା କରୁଥିଲେ। ଯାହାଫଳରେ ଜିରୋ କାଜୁଆଲିଟି ଲକ୍ଷ୍ୟ ପୁରଣ ହେବା ସହ କ୍ଷତିର ପରିମାଣକୁ ବହୁକାଂଶରେ ହ୍ରାସ କରାଯାଇ ପାରିଥିଲା।

ଦାନା ପରେ ଏବେ ଅଦିନିଆ ବର୍ଷା କାରଣରୁ ୧୬ଟି ଜିଲ୍ଲାର ଚାଷୀ ପୁଣି ଥରେ କ୍ଷତି ସହିଛନ୍ତି। ଏପରି ସମୟରେ ସରକାର ପୁଣିଥରେ ଆପଣ ମାନଙ୍କ ପାଖରେ ଛିଡ଼ା ହୋଇଛନ୍ତି। ଆଜି ମଞ୍ଚରୁ ମୁଁ ଘୋଷଣା କରୁଛି ଯେ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି ଆଉ ରହିବେ ମଧ୍ୟ। ଅଦିନିଆ ବର୍ଷାର କ୍ଷୟକ୍ଷତି ସମ୍ପର୍କରେ ମୁଁ ନିଜେ ସମୀକ୍ଷା କରିବା ସହ ରାଜସ୍ବ ମନ୍ତ୍ରୀଙ୍କ ସହ ପ୍ରଭାବିତ ଜିଲ୍ଲାକୁ ଯାଇ ଚାଷୀଙ୍କୁ ଭେଟିଛି। ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ମାନେ ମଧ୍ୟ ବିଭିନ୍ନ ଜିଲ୍ଲାକୁ ଗସ୍ତ କରିଥିଲେ।

ଫସଲ ବୀମା ଯୋଜନାରେ ନିର୍ଦ୍ଧାରିତ ୭୨ ଘଣ୍ଟାର ଅବଧିକୁ ଆଉ ୩ ଦିନ ବୃଦ୍ଧି ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ବେଳେ ସରକାର ଆମ କଥା ରଖିଛନ୍ତି। ଅବଧିରେ ଅତିରିକ୍ତ ୩ ଦିନ ବୃଦ୍ଧି କରିବା ଯୋଗୁଁ ଏଯାବତ ଯୋଜନା ଅଧିନରେ ପ୍ରାୟ ୨.୬୧ ଲକ୍ଷ ଚାଷୀ ଏଯାବତ୍ ଆବେଦନ କରିଛନ୍ତି। ଆଜିଠାରୁ କ୍ଷତିପୂରଣ ବାବଦରେ ଅର୍ଥ ରାଶି ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ପ୍ରଦାନ ଆରମ୍ଭ ହୋଇଛି। କୃଷି କ୍ଷେତ୍ର ଏବଂ ଚାଷୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତଶ୍ରୁତିବଦ୍ଧ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.