୫ରେ ପଥ ଉତ୍ସବ, ସକାଳ ୬ଟାରୁ ଦୁଲୁକିବ ରାଜଧାନୀ
ଓଏଲ୍ ବ୍ୟୁରୋ: ୫ ତାରିଖ ରବିବାର ଦିନ ଭୁବନେଶ୍ବରରେ ପାଳିତ ହେବ ପଥ ଉତ୍ସବ। ବିଗତ ବର୍ଷମାନଙ୍କୁ ଦୃଷ୍ଟିରେ ରଖି ନୂଆ ଢଙ୍ଗ ଓ ନୂଆ ରୂପରେ ଏହାକୁ ପାଳନ କରିବାକୁ ଲକ୍ଷ୍ୟ ରଖିଛି ବିଏମସି। ଏନେଇ ବିଏମସି ସୋସିଆଲ ମିଡିଆରେ ସୂଚନା ଦେଇଛି। ଡିସେମ୍ବର ୨୨ ତାରିଖରେ ପଥ ଉତ୍ସବ ହେବାର ଥିଲା। ହେଲେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବିଏମ୍ସି ପଥ ଉତ୍ସବକୁ ସ୍ଥଗିତ ରଖିଥିଲା। ପରେ ଗତ ୨୯ ତାରିଖରେ ପଥ ଉତ୍ସବ ହେବ ସ୍ଥିର ହୋଇଥିବାବେଳେ ମନମୋହନ ସିଂଙ୍କ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ ହେଉଥିବାବେଳେ ଏହାକୁ ମଧ୍ୟ ବାତିଲ କରାଯାଇଥିଲା।
ଚଳିତବର୍ଷ ପଥ ଉତ୍ସବର ବିଶେଷତା ହେଉଛି ରାଜଧାନୀରେ ଜାନୁଆରୀ ୮ରୁ ୧୦ ଯାଏ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ଅତିଥି ମାନଙ୍କୁ ସ୍ୱାଗତ କରିବା। ୫ ତାରିଖ ରବିବାର ଦିନ ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ଯାଏଁ ଅନୁଷ୍ଠିତ ହେବ ପଥ ଉତ୍ସବ। ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ, ଜୁମ୍ବା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପଥ ଉତ୍ସବକୁ ପରିଚାଳନା କରିବାକୁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।