ସନ୍ଧ୍ୟା ଥିଏଟର୍ ମାମଲା: ଅଲ୍ଲୁ ଅର୍ଜୁନଙ୍କୁ ବଡ଼ ଆଶ୍ଵସ୍ତି
ଓଏଲ୍ ବ୍ୟୁରୋ: ପୁଷ୍ପାରାଜଙ୍କୁ ମିଳିଲା ବଡ଼ ଆଶ୍ବସ୍ତି। ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ରିଳିଜ଼ ସମୟର ଦଳାଚକଟା ମାମଲାରେ ଅଲ୍ଲୁଙ୍କୁ ନିୟମିତ ଜାମିନ୍ ଦେଲେ ହାଇଦ୍ରାବାଦ କୋର୍ଟ। ପୂର୍ବରୁ ପୁଲିସର ଗିରଫ ପରେ ହାଇକୋର୍ଟ ଜାମିନ୍ ଦେଇଥିଲେ।
ଡିସେମ୍ବର ୧୩ରେ ଗିରଫ ହେବା ପରେ ୧୪ତାରିଖ ସକାଳୁ ଜାମିନ୍ ପାଇ ବାହାରକୁ ଆସିଥିଲେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନ ପ୍ରତିକ୍ରିୟା ଦେଇଥିଲେ। ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଲ୍ଲୁ ଅର୍ଜୁନ।
ସେ କହିଥିଲେ, ମୁଁ ଭଲ ଅଛି, ବ୍ୟସ୍ତ ହେବାର କିଛି ନାହିଁ। ଆଇନକୁ ସମ୍ମାନ ଦିଏ, ସମସ୍ତ ପ୍ରକାର ସହଯୋଗ କରିବି। ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ସହ କ୍ଷମା ମାଗିଛନ୍ତି। ‘ଦୁର୍ଭାଗ୍ୟବଶତଃ ଏପରି ଘଟଣା ହୋଇଛି,ଏଥିପାଇଁ କ୍ଷମା ମାଗୁଛି। ସମ୍ପୃକ୍ତ ପରିବାର ପାଇଁ ଯାହା ଆବଶ୍ୟକ ସବୁ କରିବେ ବୋଲି ସେ କହିଥିଲେ।
ସୂଚନାଥାଉକି, ଡିସେମ୍ବର ୪ ତାରିଖରେ ପୁଷ୍ପା-୨ର ସ୍କ୍ରିନିଂ ବେଳେ ହାଇଦ୍ରାବାଦର ଜଣାଶୁଣା ସନ୍ଧ୍ୟା ଥିଏଟରରେ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ। ତାଙ୍କୁ ଦେଖିବା ପାଇଁ ଫ୍ୟାନମାନଙ୍କର ପ୍ରବଳ ଭିଡ଼ ଜମି ଥିଲା। ଫଳରେ ଠେଲାପେଲା ଓ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ନାବାଳକ ପୁଅ ଆହତ ମଧ୍ୟ ହୋଇଥିଲେ।
ଏହି ଘଟଣା ପରେ ମୃତ ମହିଳା ରେବତୀଙ୍କ ସ୍ୱାମୀ ଭାସ୍କର ଥାନାରେ ଅଲ୍ଲୁ ଅର୍ଜୁନ, ତାଙ୍କ ସୁରକ୍ଷା କର୍ମୀ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ପୁଲିସ ଗ୍ରହଣ କରି ମାମଲା ରୁଜୁ କରିଥିଲା।