୨୦ ବର୍ଷ ପରେ କଡ଼ ଲେଉଟାଇଲା ଭାରତୀୟ କ୍ରିକେଟର କଳା ଇତିହାସ
ଓଏଲ୍ ବ୍ୟୁରୋ: ଦୀର୍ଘ ୨୦ ବର୍ଷ ପରେ କଡ଼ ଲେଉଟାଇଲା ଟିମ୍ ଇଣ୍ଡିଆର କଳା ଇତିହାସ। ଦଳର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଲେ ଖୋଦ ଅଧିନାୟକ। ଚଳିତ ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଶେଷ ଟେଷ୍ଟର ଭାରତୀୟ ଚୂଡ଼ାନ୍ତ ଏକାଦଶରେ କ୍ୟାପଟେନ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିନାହିଁ। ଯାହାକି କ୍ରିକେଟ ପ୍ରେମୀଙ୍କୁ ମନେ ପକାଇ ଦେଇଛି ଭାରତୀୟ କ୍ରିକେଟର ୨୦୦୫ର ସେହି ନାଟକୀୟ କଳା ଅଧ୍ୟାୟର ସ୍ମୃତିକୁ। ଭାରତର ପ୍ରଥମ ଅଧିନାୟକ ଭାବେ ରୋହିତ ଶର୍ମା ନିଜକୁ ଚୂଡ଼ାନ୍ତ ଏକାଦଶରୁ ଦୂରେଇ ରଖିଛନ୍ତି।
ସେବେ ଦାଦା, ଏବେ ହିିଟ୍ ମ୍ୟାନ୍:
ଆଜକୁ ପ୍ରାୟ ୨୦ ବର୍ଷ ତଳେ ଭାରତୀୟ କ୍ରିକେଟ ଇତିହାସରେ ଏଭଳି କିଛି ଘଟିଥିଲା ଯାହା ସାରା ବିଶ୍ବ କ୍ରିକେଟକୁ ଚକିତ କରିଥିଲା। ୨୦୦୫ ମସିହାରେ ଭାରତୀୟ ଦଳର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି। ଦଳର ଅଧିନାୟକଙ୍କ ସହିତ ଯାହା ଘଟିଥିଲା କ୍ରିକେଟ ପ୍ରେମୀ ଚକିତ ହୋଇ ଯାଇଥିଲେ। କେବଳ ଅଧିନାୟକ ପଦ ଚାଲିଯାଇନଥିଲା ବରଂ ଜାତୀୟ ଦଳରୁ ସେ ନିଜର ସ୍ଥାନ ମଧ୍ୟ ହରାଇଥିଲେ। କୋଚ୍ ଗ୍ରେଗ୍ ଚାପେଲ୍ ଜିମ୍ୱାୱେ ବିପକ୍ଷ ଏକ ମ୍ୟାଚ ପୂର୍ବରୁ ତାଙ୍କୁ ଅଚାନକ ଅଧିନାୟକ ପଦ ଛାଡ଼ିବାକୁ କହିଥିଲେ। ଏତିକିରେ ସରିନଥିଲା କାହାଣୀ, ଏହାପରେ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟ ଟିମର ଜାତୀୟ ଦଳର ସ୍କ୍ୱାଡରୁ ମଧ୍ୟ ବାଦ୍ ଦିଆଯାଇଥିଲା । ସେତେବେଳେ ଏହି ଘଟଣା ଭାରତୀୟ କ୍ରିକେଟ ଇତିହାସରେ ସବୁଠୁ ଚର୍ଚ୍ଚିତ ଓ ବିବାଦୀୟ ହୋଇଥିଲା।
୨୦୦୫ ପରେ ୨୦୨୫ରେ ବି ଏକଳି ଅନୁରୂୂପ ଘଟଣା ଘଟିଛି। ଅଷ୍ଟ୍ରେଲିଆ ବିପକ୍ଷ ସିଡନୀ ଟେଷ୍ଟରେ କ୍ୟାପଟେନ ରୋହିତ ଶର୍ମା ବାଦ୍ ପଡ଼ିଛନ୍ତି। ସେ ଏହି ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚରେ ବିଶ୍ରାମ ନେଇଛନ୍ତି। ଭାରତରୁ ନେଇ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଦଳରେ ରୋହିତ ଶର୍ମାଙ୍କ ସ୍ଥାନ ଓ କ୍ରିକେଟ ଭବିଷ୍ୟତ ନେଇ ଆଶଙ୍କା ଓ ଆକଳନ କରୁଛନ୍ତି। ଏହି କାରଣରୁ ଅନେକ ଏହାକୁ ସୌରଭ ଗାଙ୍ଗୁଲିଙ୍କ ବିବାଦୀୟ ବିଦାୟ ସମୟ ସହ ତୁଳନା କରିବା ଆରମ୍ଭ କରିଛନ୍ତି। ଭାରତୀୟ କ୍ରିକେଟରେ ଇତିହାସର ପୁଣି ସେହି ଚର୍ଚ୍ଚିତ ଅଧ୍ୟାୟର ପୁନରାବୃର୍ତ୍ତି ହୋଇଥିବା କ୍ରିକେଟ ବିଶେଷଜ୍ଞ ଆକଳନ କରିଛନ୍ତି।
ରୋହିତଙ୍କୁ ନେଇ ବୁମରାଙ୍କ ପ୍ରତିକ୍ରିୟା:
ଖରାପ ଫର୍ମ ଦେଇ ଗତି କରୁଥିବା ରୋହିତ ଶର୍ମା ସିଡନୀ ନଖେଳିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ଯାହା ଶେଷ ହୋଇଛି। ସିଡନୀ ଟେଷ୍ଟରେ ୨ଟି ପରିବର୍ତ୍ତନ କରିଛି ଭାରତ। ରୋହିତ ଶର୍ମା ଓ ଆକାଶଦୀପଙ୍କ ବିନା ପଡ଼ିଆକୁ ଓହ୍ଲାଇଛି ଭାରତ। ରୋହିତଙ୍କୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ଯଶପ୍ରୀତ ବୁମରା। ସେ କହିଛନ୍ତି, ଆମ ଦଳର ଅଧିନାୟକ ଏହି ମ୍ୟାଚରେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୂୁଛି ଯେ ଆମ ଦଳରେ ଏକତା କେତେ ଭଲ ରହିଛି। ଖେଳାଳିଙ୍କ ମନରେ କୌଣସି ସ୍ବାର୍ଥ ନାହିଁ। ଯାହା ବି ଦଳର ହିତ ପାଇଁ ହେବ, ତାହା କରିବାକୁ ଆମେ ସବୁବେଳେ ଚେଷ୍ଟା କରିବୁ ବୋଲି ବୁମରା କହିଛନ୍ତି।
ଭାରତୀୟ କ୍ରିକେଟରେ ପ୍ରଥମ ଅଧିନାୟକ ଭାବେ ରୋହିତ ଶର୍ମା ନିଜକୁ ଚୂଡ଼ାନ୍ତ ଏକାଦଶରୁ ଦୂରେଇ ରଖିଛନ୍ତି। ଏଭଳି ଘଟଣା କିଛି ନୂଆ ନାହିଁ ଟିମ୍ର ବୃହତର ସ୍ବାର୍ଥକୁ ନଜରରେ ରଖି ଏହା ପୂର୍ବରୁ ୫ ଜଣ ଖେଳାଳି ନିଜକୁ ଚୂଡ଼ାନ୍ତ ଏକାଦଶରୁ ଦୂରେଇ ରଖିଛନ୍ତି।
ମସିବ୍ ଉଲ୍ ହକ୍:
୨୦୧୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ପାକିସ୍ତାନ ଦଳର ଅଧିନାୟକ ମିସବା ଉଲ୍ ହକ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ଖରାପ ଫର୍ମ ଦେଇ ଗତି କରୁଥିବା ମିସିବା ଉଲ୍ ହକ୍ ତୃତୀୟ ଦିନିକିଆରେ ନିଜକୁ ନିଜେ ଚୂଡ଼ାନ୍ତ ଏକାଦଶରୁ ଦୂରେଇ ଯାଇଥିଲେ। ତାଙ୍କ ଅନୁପସ୍ଥିତିରେ ସାହିଦ ଆଫ୍ରିଦି ଅଧିନାୟକ ଭାର ନେଇଥିଲେ।
ଦିନେଶ ଚଣ୍ଡିମାଲ:
୨୦୧୪ ଟି-୨୦ ବିଶ୍ବକପ୍ର ସେମି ଫାଇନାଲ ମୁକାବିଲା ପୂର୍ବରୁ ନିଜକୁ ଦଳରୁ ଦୂରେଇ ରଖିଥିଲେ ଶ୍ରୀଲଙ୍କା ଦଳର ଅଧିନାୟକ ଦୀନେଶ ଚଣ୍ଡିମାଲ। ଦଳର ସ୍ଥିତି ଓ ବାଲାନ୍ସ ବଜାୟ ରଖିବା ପାଇଁ ନିଜକୁ ନିଜେ ଦଳରୁ ଓହରି ଯାଇଥିଲେ ଚଣ୍ଡିମାଲ। ପରେ ସେମି ଓ ଫାଇନାଲ ମୁକାବିଲାରେ ଦଳର ମଙ୍ଗ ଧରିଥିଲେ ଲାସିଥ ମାଲିଙ୍ଗା। ଆଉ ସେହି ବର୍ଷ ଶ୍ରୀଲଙ୍କା ଦଳ ଟି-୨୦ ବିଶ୍ବକପ୍ ହାତେଇଥିଲା।
ମିକିି ଡେନେସ୍ :
୧୯୭୪ ମସିହା ଆସେସ୍ ସିରିଜରେ ଇଂଲଣ୍ଡର ଅଧିନାୟକ ମିକିି ଡେନେସ୍ ଖରାପ ଫର୍ମ ଦେଇ ଗତି କରୁଥିବା କାରଣରୁ ନିଜକୁ ନିଜେ ଚୂଡ଼ାନ୍ତ ଏକାଦାରୁ ବାଦ ଦେଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ୩ୟ ମ୍ୟାଚଟି ଡ୍ର’ରେ ଶେଷ ହୋଇଥିଲା। ଖରାପ ଫର୍ମକୁ ନଜରରେ ରଖି ୪ର୍ଥ ଟେଷ୍ଟ ଖେଳି ନଥିଲେ ମିକି। ପରେ ୫ମ ଟେଷ୍ଟ ଖେଳିଥିଲେ ମିକି।
ମାଇକେଲ କ୍ଲାର୍କ:
୨୦୧୫ ମସିହାରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ମାଇକେଲ କ୍ଲାର୍କ ଖରାପ ଫର୍ମ ଦେଇ ଗତି କରୁୁଥିଲେ। ସେ ସେହି ସମୟରେ ଅଧିନାୟକ ପଦ ଛାଡ଼ିଥିଲେ।
ବ୍ରେଣ୍ଡନ୍ ମ୍ୟାକୁଲମ୍:
୨୦୧୬ ମସିହାରେ ଏକ ସିରିଜରେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ୍ ଖରାପ ଫର୍ମ ଦେଇ ଗତି କରୁଥିଲେ। ଯାହାଫଳରେ ସେ ଅଧିନାୟକ ପଦ ଛାଡ଼ିବା ସହିତ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
ଆଲିଷ୍ଟର କୁକ୍:
୨୦୧୭ ମସିହାରେ ଇଂଲଣ୍ଡର ଦଳର ଅଧିନାୟକ ଆଲିଷ୍ଟର କୁକ୍ ଖରାପ ଫର୍ମ ଦେଇ ଗତି କରିଥିଲେ। ଯାହାକୁ ନଜରରେ ରଖି ସେ ନିଜ ଅଧିନାୟକ ପଦ ଛାଡ଼ିଥିଲେ।