ଶପଥ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି
ଓଏଲ୍ ବ୍ୟୁରୋ: ନୂଆ ରାଜ୍ୟପାଳଙ୍କ ଶପଥ ସମାରୋହ। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମପତି। ଶପଥ ପାଠ କରାଇଲେ ହାଇକୋର୍ଟ ମୁଖ୍ୟ ବିଚାରପତି। ଗତ ଡିସେମ୍ବର ୨୪ ତାରିଖରେ ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା। ଗତକାଲି ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ସଦସ୍ୟ।
ଭୁବନେଶ୍ବରରୁ ସେ ପୁରୀ ଯାଇଥିଲେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ ଡକ୍ଟର ହରିବାବୁ ଓ ତାଙ୍କ ପରିବାର। ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି ନୂଆ ରାଜ୍ୟପାଳ। ଗତକାଲି ପୁରୀ ରାଜଭବନରେ ରାତ୍ରିଯାପନ ପରେ ଆଜି ଭୁବନେଶ୍ବର ଫେରି ରାଜଭବନରେ ଶପଥ ଗ୍ରହଣ କରିଛନ୍ତି।