Odisha Link
Bridging the Missing Links in Odisha

ଏଥର ବି ଦିନଟିଏ ଖେଳି ପାରିଲାନି ଭାରତ, ୧୮୫ ରନ୍‌ରେ ଟିମ୍‌ ଇଣ୍ଡିଆ ଅଲଆଉଟ୍‌

ଓଏଲ୍‌ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତୀୟ ଦଳ ସମସ୍ତ ଓ୍ବିକେଟ ହରାଇ ପ୍ରଥମ ଦିନ ଖେଳରେ ମାତ୍ର ୧୮୫ ରନ୍‌ କରିବାରେ ସଫଳ ହୋଇଛି। ଭାରତୀୟ ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନ୍‌ ସ୍କୋର କରିଛନ୍ତି। ପୁଣିଥରେ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଦୁର୍ଗକୁ ଭୁୁଷୁଡ଼ାଇ ଦେଇଛନ୍ତି କଙ୍ଗାରୁ ବୋଲର।

ରୋହିତ ବିଶ୍ରାମ ନେବା କାରଣରୁ ଯଶପ୍ରୀତ ବୁମରାଙ୍କ ହାତରେ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ବ। ବୁମରା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଦଳକୁ ମୂଳରୁ ଲାଗିଥିଲା ପ୍ରାରମ୍ଭିକ ଝଟକା। ଭାରତର ସ୍କୋର ମାତ୍ର ୧୧ ରନ୍‌ ହୋଇଥିବା ବେଳେ ଦଳକୁୁ ପ୍ରଥମ ଝଟକା ଦେଇଥିଲେ ମିଚେଲ ଷ୍ଟ୍ରାର୍କ। କେଏଲ ରାହୁଲ ମାତ୍ର ୪ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଯଶ୍ବସୀଙ୍କ ସାଥ ଦେବାପାଇଁ ଶୁଭମନ ଗିଲ୍‌ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ୧୭ ରନ୍‌ ହୋଇଥିବା ବେଳେ ଭାରତକୁ ଦ୍ବିତୀୟ ଝଟକା ଲାଗିଥିଲା। ଯଶ୍ବସୀ ମାତ୍ର ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ।ପରେ ବିରାଟ ଗିଲ୍‌ଙ୍କ ସହିତ ମିଶି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ।

ହେଲେ ଦଳୀୟ ସ୍କୋର ୫୭ ରନ୍‌ ହୋଇଥିବା ବେଳେ ଭାରତକୁ ୩ୟ ଝଟକା ଦେଇଥିଲେ ନାଥନ ଲିୟନ। ସେ ଗିଲ୍‌ଙ୍କ ଓ୍ବିକେଟ ନେଇ ଭାରତକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ। ଗିଲ୍‌ ୨୦ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ପରେ ପରେ ବିରାଟ କୋହଲି ୧୭ ରନ୍‌ ସ୍କୋର କରି ବୋଲାଣ୍ଡଙ୍କ ଶିକାର ହୋଇଥିଲେ। ପରେ ପନ୍ତ – ଜାଡେଜା ଯୋଡ଼ି ଭାରତୀୟ ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦୁହିଁଙ୍କ ମଧ୍ୟରେ ୬୩ ରନର ପାର୍ଟନରଶିପ୍‌ ହୋଇଥିଲା।

୧୨୦ ରନ୍‌ ସ୍କୋରରେ ଭାରତୀୟ ଦଳକୁ ସବୁଠୁ ବଡ଼ ଝଟକା ଦେଇଥିଲେ ବୋଲାଣ୍ଡ। ଇନ୍‌ଫର୍ମ ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ (୪୦) ଓ ନୀତୀଶ କୁୁମାର ରେଡ୍ଡୀଙ୍କୁ ପ୍ୟାଭିଲିଅନ୍‌ ପଠାଇଥିଲେ। ପରେ ଭାରତୀୟ ଦଳ ବ୍ୟାଟିଂ ଲାଇନ୍‌ ଭୁଷୁଡ଼ି ପଡ଼ିଥିଲା। ଜାଡେଜା ୨୬, ସୁନ୍ଦର ୧୪ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ଇନିଂସ୍‌ ଶେଷ ଆଡ଼କୁ ବୁମରା ଲଗାତାର ୩ଟି ଚୌକା ମାରି ଏକ ସମ୍ମାନଜନକ ସ୍କୋରରେ ଭାରତୀୟ ଦଳକୁ ଛିଡ଼ା କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବୋଲାଣ୍ଡ ସର୍ବାଧିକ ୪ଟି ଓ୍ବିକେଟ ନେଇଥିବା ବେଳେ ମିଚେଲେ ଷ୍ଟ୍ରାର୍କ ୩ଟି ଓ୍ବିକେଟ ନେଇଛନ୍ତି। ସେହିିପରି ପ୍ୟାଟ୍‌ କମିନ୍ସ ଓ ନାଥନ ଲିଅନଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଛି।

Leave A Reply

Your email address will not be published.