Odisha Link
Bridging the Missing Links in Odisha

କରୋନା ପରେ ଭାରତରେ HMPV ଭାଇରସ୍ ଭୟ, ୮ ମାସର ଶିଶୁ ସଂକ୍ରମିତ!

ଓଏଲ୍‌ ବ୍ୟୁରୋ: କରୋନା ମହାମାରୀର ୫ ବର୍ଷ ନପୂରୁଣୁ ଆଉ ଏକ ଭୂତାଣୁ ସଂକ୍ରମଣ ଖବର ଚିନ୍ତାର ବିଷୟ ପାଲଟିଛି। ଯେଉଁଥିରେ ଅଧିକ ସଂକ୍ରମିତ ହେଉଛନ୍ତି ୧୪ ବର୍ଷରୁ କମ୍‌ ବୟସର ଶିଶୁ। ଜାତୀୟ ଗଣମାଧ୍ୟମ ଖବର ଅନୁସାରେ, ଚୀନରେ ବ୍ୟାପୁଛି ହ୍ୟୁମନ ମେଟାନ୍ୟୁମୋ ଭାଇରସ। HMPV ଭାଇରସର ଲକ୍ଷଣ ଥଣ୍ଡା, ଜ୍ବର ଓ କଫ ରହିଛି। ଚୀନରେ ବ୍ୟାପୁଥିବା ଏହି ଭୁତାଣୁ ଭୟ ଭାରତର ଚିନ୍ତାର ବିଷୟ ପାଲଟିଛି।

ଭାରତରେ ଚୀନ ଭାଇରସ HMPV ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି। ବେଙ୍ଗାଲୁରୁର ଜଣେ ୮ ମାସର ଶିଶୁ ନିକଟରେ ଏହି ଭାଇରସ ଚିହ୍ନଟ ହୋଇଛି। କରୋନା ମହାମାରୀ ପରେ HMPV ଭାଇରସ ଚୀନରେ ନଜର ଆସିଛି। ଏହି ଭାଇରସକୁ ନେଇ ଭାରତରେ ଚିନ୍ତା ପ୍ରକାଶ କରିବା ଆବଶ୍ୟକ ନାହିଁ ବୋଲି ପୂର୍ବରୁ ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ମାତ୍ର ବର୍ତ୍ତମାନ ବେଙ୍ଗାଲୁରୁର ଜଣେ ୮ମାସର ଶିଶୁ ନିକଟରେ ଏହି ଭାଇରସ ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ବିଭାଗର କହିବା କଥା ଏହାକି ଯେ ବର୍ତ୍ତମାନ ଯାଏଁ ଲାବ୍ ରେ ଏହାର ଟେଷ୍ଟ ହୋଇନାହିଁ। ଏକ ଘରୋଇ ହସ୍ପିଟାଲରେ ଏହି ମାମଲାର ରିପୋର୍ଟ ଆସିଛି। ଘରୋଇ ହସ୍ପିଟାଲର ଏହି ରିପୋର୍ଟକୁ ସ୍ୱାସ୍ଥ୍ୟ ବିଭାଗ ଖଣ୍ଡନ କରୁଛି।

ସୂଚନା ଥାଉକି, କରୋନା ସଂକ୍ରମଣର ୫ବର୍ଷ ପରେ ଚୀନରେ ଏହି ନୂଆ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। କରୋନା ଭଳି ଏଚଏମପିଭି ମଧ୍ୟ ଶ୍ବାସକ୍ରିୟାକୁ ସଂକ୍ରମିତ କରୁଛି। ଏହି ଭୂତାଣୁ ଦ୍ରୁତବେଗରେ ସଂକ୍ରମିତ ହେଉଛି। ଭୂତାଣୁ ସଂକ୍ରମଣକୁ ନେଇ ଡାକ୍ତରଖାନାଗୁଡିକରେ ଭିଡ ପରିଲକ୍ଷିତ ହୋଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏପରି କି ଚୀନ ସରକାର ଏଥିପାଇଁ ଜରୁରୀପରିସ୍ଥିତି ଘୋଷଣା କରିଥିବା କେତେକ ସାମାଜିକ ଗଣମାଧ୍ୟମରେ କୁହାଯାଇଛି।

କରୋନା ଭଳି ଏଚଏମପିଭି ଫ୍ଲୁ ଅନୁରୂପ ଲକ୍ଷଣ ପ୍ରକାଶ ପାଉଛି। ଚୀନର ରୋଗ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଶୁକ୍ରବାର କହିଛନ୍ତି ଯେ ନୂଆ ସଂକ୍ରମଣ ନିୟନ୍ତ୍ରଣ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଚିହ୍ନଟ କରାଯାଇଛି। ଏପରିକି ବିଭିନ୍ନ ରାଜ୍ୟ ସୀମାକୁ ବନ୍ଦ କରାଯାଇଛି।ପରୀକ୍ଷାଗାରକୁ ପରୀକ୍ଷା ପାଇଁ ଆସୁଥିବା ନମୁନାର ରିପୋର୍ଟ ସରକାରଙ୍କୁ ଜଣାଇବାକୁ କୁହାଯାଇଛି। ତଥ୍ୟ ଅନୁଯାୟୀ ଡିସେମ୍ବର ୧୬ରୁ ୨୨ ତାରିଖ ମଧ୍ୟରେ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କଡ଼ା ନଜର ରହିଥିବାବେଳେ ଭୂତାଣୁ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇପାରେ।

Leave A Reply

Your email address will not be published.