ଦେଶରେ HMPV ଭୂତାଣୁ ଚିହ୍ନଟ: ୩ ରାଜ୍ୟରେ ଗାଇଡଲାଇନ୍ ଜାରି
ଓଏଲ୍ ବ୍ୟୁରୋ: କୋଭିଡ ମହାମାରୀ ପରେ ଏବେ ଚୀନରେ ଆତଙ୍କ ଖେଳାଉଥିବା ହ୍ୟୁମନ ମେଟାନ୍ୟୁମୋ ଭାଇରସ୍ (HMPV)କୁ ନେଇ ସାରା ବିଶ୍ବରେ ଛନକା। ଦିନ ଗଡ଼ିବା ସହିତ ଏହି ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଏହି ଭାଇରସ୍ ଭାରତରେ ପ୍ରବେଶ କରି ସାରିଛି। କର୍ଣ୍ଣାଟକର ବେଙ୍ଗାଲୁରୁ ପରେ ଗୁଜରାଟର ଅହମଦାବାଦରେ ଚିହ୍ନଟ ହେଲେ ଆଉ ଜଣେ ହ୍ୟୁମନ ମେଟାନ୍ୟୁମୋ ଭାଇରସ୍ (HMPV)ଆକ୍ରାନ୍ତ। ଦିନକରେ ଭାରତରେ ୩ଜଣ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତାଜନକ ବିଷୟ ପାଲଟିଛି। ଏହାକୁ ନଜରରେ ରଖି କର୍ଣ୍ଣାଟକ ସରକାର ଜାରି କରିଛନ୍ତି ଗାଇଡଲାଇନ୍।
ବେଙ୍ଗାଲୁରୁରେ ୨ HMPV ସଂକ୍ରମିତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ କର୍ଣ୍ଣାଟକ ସରକାର। ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ଛିଙ୍କ, କାଶ ବେଳେ ପାଟି ଓ ନାକ କଭର କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ମାସ୍କ ପିନ୍ଧିଲା ସଂକ୍ରମଣ ମାତ୍ରା କମିବ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ।
କେବଳ କର୍ଣ୍ଣାଟକରେ ନୁହେଁ ମହାରାଷ୍ଟ୍ର ଓ ଦିଲ୍ଲୀରେ ମଧ୍ୟ ଗାଇଡଲାଇନ୍ ଜାରି ହୋଇଛି। ମହାରାଷ୍ଟ୍ର ଓ ଦିଲ୍ଲୀରେ HMPV ଲକ୍ଷଣ ପରିଲିକ୍ଷିତ ହେଉଥିଲେ ଗହଳି ସ୍ଥାନକୁ ଯିବାକୁ ବାରଣ କରିଛି ସେଠାକାର ସ୍ବାସ୍ଥ୍ୟ ବିଭାଗ। ସେହିପରି ମାସ୍କ ପିନ୍ଧିବାକୁ ସତର୍କ କରାଇଛି ସ୍ବାସ୍ଥ୍ୟ ବିଭାଗ।
ସୂଚନାଥାଉକି, ଅହମଦାବାଦର ଚାଦଖେଡା ଅଞ୍ଚଳରେ ଜଣେ ୨ ମାସର ଶିଶୁ HMPV ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଶିଶୁଟି ଚିକିତ୍ସା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେହିପରି ବେଙ୍ଗାଲୁରୁର ଏକ ହସ୍ପିଟାଲରେ ୮ ମାସର ଛୁଆ ଓ ୩ ମାସର ଛୁଆର ଦେହରେ HMPV ଜୀବାଣୁ ଚିହ୍ନଟ ହୋଇଛି। କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା କରିନାହୁଁ। ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି। ଘରୋଇ ଡାକ୍ତରଖାନାର ଏହି ରିପୋର୍ଟ ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ।
HMPV ସାଧାରଣତ ପିଲାମାନଙ୍କଠାରେ ହିଁ ଚିହ୍ନଟ ହୁଏ। ସମସ୍ତ ଫ୍ଲୁ ନମୁନାରେ HMPV ୦.୭ % ଥାଏ। ଏହି ଜୀବାଣୁଙ୍କର ଷ୍ଟ୍ରେନ୍ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନାହିଁ, ଏହି ଜୀବାଣୁ ପରିବେଶରେ ଦେଖିବାକୁ ମିଳେ ଏବଂ ଯଦି ପରୀକ୍ଷା କରାଯାଏ, ତେବେ ଅଧିକାଂଶ ଲୋକ ପଜିଟିଭ୍ ମିଳିବେ, ଏହା ଏକ ସାଧାରଣ ଜୀବାଣୁ। ବର୍ତ୍ତମାନ ଏହା ପାଇଁ କୌଣସି ଟିକା ନାହିଁ, କିନ୍ତୁ ଏହାର ଲକ୍ଷଣ ଥଣ୍ଡା ଭଳି।