Odisha Link
Bridging the Missing Links in Odisha

ଓଡ଼ିଶା ଫୁଟବଲ୍‌ ଜଗତରେ ଚର୍ଚ୍ଚା ବଢ଼ାଇଲା ରୋହନ ଶର୍ମାଙ୍କ ରହସ୍ୟମୟ ଲେଖା

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରୀଡ଼ା ଜଗତକୁ ବୁଷ୍ଟର ଡୋଜ ଦେଉଛନ୍ତି ଓଡ଼ିଶା ସରକାର। ପ୍ରଥମେ ହକି ଆଉ ଏବେ ଦୁଇ ଦିନ ତଳେ ଜାତୀୟ ଖୋ ଖୋ ଦଳର ପ୍ରାୟୋଜକ ହୋଇ କ୍ରୀଡ଼ା ଜଗତରେ ନୂଆ କିର୍ତ୍ତୀମାନ ସ୍ଥାପନ କରିଛନ୍ତି ଓଡ଼ିଶା ସରକାର। ଏସବୁ ମଧ୍ୟରେ ଆଉ ଏକ ଖବର ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନକୁ ନେଇ ପ୍ରଶ୍ନ ଉଠାଇଛି। ରାଜ୍ୟର ଏକମାତ୍ର ପେସାଦାର ଫୁଟବଲ୍‌ ଦଳ ‘ଓଡ଼ିଶା ଏଫ୍‌ସି’ ଓଡ଼ିଶା ଛାଡ଼ି ଚାଲିଯିବାକୁ ସଜବାଜ ହେଲାଣି। ଯାହା ଓଡ଼ିଶା କ୍ରୀଡ଼ା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି।

ଓଡ଼ିଶା ସରକାର କ୍ରୀଡ଼ାକୁ ଦେଉଥିବା ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ଆକର୍ଷିତ ହୋଇ ଆସିଥିଲା ଓଡ଼ିଶା ଏଫ୍‌ସି। ଏକ ବିଦେଶୀ କଂପାନି ‘ଜିଏମ୍‌ଏସ୍’ ମାଲିକାନାରେ ଥିବା ରାଜ୍ୟର ଏକମାତ୍ର ପେସାଦାର ଫୁଟ୍‌ବଲ୍ ଦଳ ‘ଓଡ଼ିଶା ଏଫ୍‌ସି’ ତୃଣମୂଳସ୍ତରରୁ ଫୁଟ୍‌ବଲ୍‌ ବିକାଶ ନାଁରେ ଢେର କିଛିଦିନ ସବୁପ୍ରକାର ସହଯୋଗ ଓ ସମର୍ଥନ ସାଉଣ୍ଟିଲେ। ଓଡ଼ିଶା ନାଁରେ ଦଳ କରି ଭିତ୍ତିଭୂମିଠାରୁ ଆରମ୍ଭ କରି ପ୍ରାୟୋଜକ ପର୍ଯ୍ୟନ୍ତ ସବୁକିଛି ପରେ ଆଉ ଆଗଭଳି ସମର୍ଥନ ମିଳୁ ନଥିବା କହି ଏବେ କିନ୍ତୁ ଓଡ଼ିଶା ଛାଡ଼ି ଚାଲିଯିବାକୁ ସଜବାଜ ହେଲେଣି। ଏଭଳି ସଙ୍କେତ ଦେଇଛନ୍ତି ଓଡ଼ିଶା ଏଫ୍‌ସି କ୍ଲବର ମାଲିକ ତଥା ପରାମର୍ଶଦାତା ରୋହନ ଶର୍ମା।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଓଡ଼ିଶା ଏଫ୍‌ସିର ଭବିଷ୍ୟତ ନେଇ ରହସ୍ୟମୟ ଲେଖା ଲେଖିଛନ୍ତି ରୋହନ। ଯାହା ଏବେ କ୍ରୀଡ଼ା ଜଗତରେ ଆଲେଚନାର ବିଷୟବସ୍ତୁ ପାଲଟିଛି। ସେ ଲେଖିଛନ୍ତି, ମୁଁ ଯାହା କରିପାରିବି, ସେ ସବୁକିଛି କରିଛି। ଆମେ ଏକ ଶକ୍ତିଶାଳୀ ପୁରୁଷ ଓ ମହିଳା ଦଳ ଗଠନ କରିଛୁ। ତଥାପି ଓଡ଼ିଶାର ଯୁବ ପିଢ଼ିଙ୍କ ପାଇଁ ଆମକୁ ଆହୁରି ଅନେକ କିଛି କରିବାର ଥିଲା ବୋଲି ମୁଁ ସ୍ବୀକାର କରୁଛି। ସରକାର ବଦଳିବା ପରେ ଦୁର୍ଭାଗ୍ୟଜନକ ଭାବେ ଆମର ସବୁ ସ୍ଥାନୀୟ ପ୍ରାୟୋଜକ ଓହରି ଯାଇଛନ୍ତି। ତଥାପି ମୁଁ ପ୍ରଶଂସକଙ୍କ ନିକଟରେ କିଛି ନା କିଛି ସ୍ବତନ୍ତ୍ର ଜିନିଷ ପରଷିବାକୁ ଚେଷ୍ଟା କରୁଛି ବୋଲି ରୋହନ ଲେଖିଛନ୍ତି। ସେ ବର୍ତ୍ତମାନର ସରକାରଙ୍କ ନାମ ନ ନେଇ ପରୋକ୍ଷ ଭାବେ ସମାଲୋଚନା ମଧ୍ୟ କରିଛନ୍ତି।

ଓଡ଼ିଶା ସରକାର ତିନିବର୍ଷ ପାଇଁ ଜାତୀୟ ଖୋ ଖୋ ଦଳର ପ୍ରାୟୋଜକ ହେବାର ମାତ୍ର କିଛି ଘଣ୍ଟା ପରେ ରୋହନଙ୍କ ଏଭଳି ଲେଖା ଓଡ଼ିଶା ଫୁଟ୍‌ବଲ୍‌ପ୍ରେମୀଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି କରିଛି। ରୋହନ ସାମାଜିକ ଗଣମାଧ୍ୟମ ଜରିଆରେ ନୂଆ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି କି ବୋଲି ପ୍ରଶ୍ନ ମଧ୍ୟ ଉଠିଛି।

ସୂଚନାଥାଉକି, ‘ଓଡ଼ିଶା ଏଫ୍‌ସି’ର ମୂଳ ନାଁ ଥିଲା ‘ଦିଲ୍ଲୀ ଡାଇନାମସ୍’। ୧୦ବର୍ଷ ତଳେ ଏହି ଦଳ ଗଠିତ ହୋଇଥିଲା। ୨୦୧୮-୨୦୧୯ ଋତୁ ପର୍ଯ୍ୟନ୍ତ ‘ଦିଲ୍ଲୀ ଡାଇନାମସ୍’ ନାଁରେ ହିଁ ଦଳ ଆଇଏସ୍‌ଏଲ୍ ଖେଳିଥିଲା। ତେବେ ଅଗଷ୍ଟ ୩୧, ୨୦୧୯ ରେ ଦଳର ନାଁ ‘ଓଡ଼ିଶା ଏଫ୍‌ସି’କୁ ପରିବର୍ତ୍ତିତ ହୋଇଥିଲା। ନୂଆ ଦଳ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌କୁ ନିଜ ଘରୋଇ ପଡ଼ିଆ କରିଥିଲା। ତତ୍‌କାଳୀନ ଓଡ଼ିଶା ସରକାର ଏହି ଦଳକୁ ଭିତ୍ତିଭୂମି ସହ ଅନ୍ୟାନ୍ୟ ସମର୍ଥନ ଓ ସହଯୋଗ ମଧ୍ୟ ଯୋଗାଇଥିଲେ।

Leave A Reply

Your email address will not be published.