ଆଜି ଓଡ଼ିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ, ଆସନ୍ତାକାଲି କରିବେ ଜଗା ଦର୍ଶନ
ଓଏଲ୍ ବ୍ୟୁରୋ: ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ, ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ଓ ପ୍ରବାସୀ ଭାରତୀୟ ଅତିଥିମାନେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଆଜି ସନ୍ଧ୍ୟାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଭୁବନେଶ୍ବରରେ ପହଞ୍ଚିବେ। ସେ ସପତ୍ନୀକ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ରାଜଧାନୀ ଭୁବନେଶ୍ବର ଓ କୋଣାର୍କରେ ତାଙ୍କର ରହଣୀର ବ୍ୟବସ୍ଥା ହୋଇଛି।
ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଅପରାହ୍ନରେ ନୂଆଦିଲ୍ଲୀରୁ ବାହାରି ସନ୍ଧ୍ୟା ସୁଧା ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ବିମାନ ବନ୍ଦରରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିବେ। ଏହା ପରେ ଭୁବନେଶ୍ୱରରୁ ସିଧାସଳଖ ସଡ଼କ ପଥରେ କୋଣାର୍କ ଯିବେ କେନ୍ଦ୍ରମନ୍ତ୍ରୀ। କୋଣାର୍କ ଇକୋ-ରିଟ୍ରିଟରେ ସେ ରାତ୍ରିଯାପନ କରିବେ। ମଙ୍ଗଳବାର ସକାଳେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରି ପୁରୀ ଅଭିମୁଖେ ବାହାରିବେ କେନ୍ଦ୍ରମନ୍ତ୍ରୀ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ ରଘୁନାଥପୁର ଯିବେ ମନ୍ତ୍ରୀ। ସେଠାରୁ ଅପରାହ୍ନରେ ଧଉଳି ଆଭିମୁଖ୍ୟ ଆସିବେ କେନ୍ଦ୍ରମନ୍ତ୍ରୀ।
କେନ୍ଦ୍ରମନ୍ତ୍ରୀ ଶାନ୍ତିସ୍ତୁପରୁ ଫେରି ମହାଦେବ ଲିଙ୍ଗରାଜଙ୍କ ଦର୍ଶନ ଲାଗି ଏକାମ୍ର କ୍ଷେତ୍ର ଯିବେ। ଦର୍ଶନ ପରେ ଭୁବନେଶ୍ୱରର ଏକ ତାରକା ହୋଟେଲରେ ରାତ୍ରିଯାପନ କରିବେ। ୮ ଓ ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ବୈଦେଶିକ ବ୍ୟାପାର ମନ୍ତ୍ରୀ ୧୦ ତାରିଖ ସକାଳେ ନୂଆଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। କୋଣାର୍କ ଓ ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀଙ୍କ ରହିଣୀ ଲାଗି ସମସ୍ତ ବ୍ୟବସ୍ଥା ହୋଇଥିବା ସୂଚନା ରହିଛି।