ତିବ୍ଦତରେ ଭୂକମ୍ପ: ଏବେ ସୁଦ୍ଧା ଗଲାଣି ୫୩ ଜୀବନ, ବିହାର-ସିକିମ୍-ପଶ୍ଚିମବଙ୍ଗରେ ଭୂକମ୍ପ ଅନୁଭୂତ
ଓଏଲ୍ ବ୍ୟୁରୋ: ନେପାଳର ଓ ତିବ୍ଦତ ସୀମାରେ ଭୟଙ୍କର ଭୂକମ୍ପ ଝଟକା। ଗୋଟିଏ କି ଦୁଇଟି ନୁହେଁ ଲଗାତାର ୬ଟି ଭୂକମ୍ପ ହୋଇଥିଲା। ଯେଉଁଥିଲେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ୫୩ ଜଣଙ୍କର ପ୍ରାଣହାନୀ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଚେ ଅଞ୍ଚଳ ରହିଥିବା ବେଳେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି।
ଡେଲି ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁଯାୟୀ, ତିବ୍ଦତର ଡିଙ୍ଗରି କାଉଣ୍ଟିରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସେହିପରି ଅନେକ ଘର ଦ୍ୱାର ଭୁଶୁଡି ପଡିଛି। ଅନେକ ଲୋକ ଭଗ୍ନ ଘର ତଳେ ଚାପି ରହିଥିବା ମଧ୍ୟ ସୂଚନା ରହିଛି। ବର୍ତ୍ତମାନ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରିଛନ୍ତି। ଏହି ଭୂକମ୍ପ ତିବ୍ଦତର ଶିଗାତ୍ସେ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି। ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି।
ସକାଳ ପ୍ରାୟ ୬.୫୨ ସମୟରେ ଏହି ଭୂକମ୍ପ ଘଟିଥିଲା। କାଠମାଣ୍ଡୁ, ଧାଡିଙ୍ଗ, ସିନ୍ଧୁପାଲଚୋକ୍, କାଭ୍ରେ, ମାକୱାନପୁର ଏବଂ ନେପାଳର ଅନ୍ୟାନ୍ୟ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଥିଲା। ଉତ୍ତର ଭାରତର ଅନେକ ସହରରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ଭାରତରୁ କୌଣସି ମୃତାହତ ହେବାର ଖବର ଆସିନାହିଁ। ଚୀନ ଭୂକମ୍ପ ନେଟୱାର୍କ କେନ୍ଦ୍ର ଦ୍ଵାରା ଜାରି କରାଯାଇଥିବା ଏକ ପୃଥକ ସୂଚନା ଅନୁଯାୟୀ ଭୂକମ୍ପର ଗଭୀରତା ୧୦ କିଲୋମିଟର ଥିଲା।