Odisha Link
Bridging the Missing Links in Odisha

‘ରାଜ୍ୟରେ ଏଯାଏ ନାହିଁ HMPV ଭୟ, ମୁକାବିଲା ପାଇଁ ସରକାର ପ୍ରସ୍ତୁତ’

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ। କାର୍ଯ୍ୟକ୍ରମ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଛି ଏହି କାର୍ଯ୍ୟକ୍ରମ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ, ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ଓ ପ୍ରବାସୀ ଭାରତୀୟ ଅତିଥିମାନେ ଅଂଶଗ୍ରହଣ କରିବେ।

ଏସବୁ ଭିତରେ ଚିନ୍ତା ବଢ଼ାଇଛି ଚୀନରେ ଆତଙ୍କ ଖେଳାଉଥିବା ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)। ପ୍ରବାସୀ ଭାରତୀୟ ଦିବସ ଓ ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଲୋକସଭା ଭବନରେ ବୈଠକ ଶେଷ ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏଯାଏଁ ଏହି ଭାଇରସ ନେଇ କୌଣସି ଚିନ୍ତାଜନକ ଘଟଣା ନାହିଁ। ଭୟଭୀତ ନ ହୁଅନ୍ତୁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।

ସୂଚନା ଅନୁସାରେ, କୋଭିଡ ମହାମାରୀ ପରେ ଏବେ ଚୀନରେ ଆତଙ୍କ ଖେଳାଉଥିବା ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)କୁ ନେଇ ସାରା ବିଶ୍ବରେ ଛନକା। ଦିନ ଗଡ଼ିବା ସହିତ ଏହି ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଏହି ଭାଇରସ୍‌ ଭାରତରେ ପ୍ରବେଶ କରି ସାରିଛି। କର୍ଣ୍ଣାଟକର ବେଙ୍ଗାଲୁରୁ ପରେ ଗୁଜରାଟର ଅହମଦାବାଦ ପରେ ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ଦୁଇ ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)ଆକ୍ରାନ୍ତ। ଦିନକରେ ଭାରତରେ ୫ ଜଣ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ। ଯାହା ଚିନ୍ତାଜନକ ବିଷୟ ପାଲଟିଛି।

Leave A Reply

Your email address will not be published.