ଭୁବନେଶ୍ବର ବିଭତ୍ସ ହତ୍ୟାକାଣ୍ଡ: ୧୨ ଘଣ୍ଟା ଭିତରେ ୩ ଜଣଙ୍କୁ ବାନ୍ଧିଲା ପୁଲିସ

ଓଏଲ୍ ବ୍ୟୁରୋ: ଆଜି ସକାଳୁ ରସୁଲଗଡ-ବାଣୀବିହାରର ମୁଖ୍ୟ ରାସ୍ତା ଓଭରବିଜ୍ ଉପରେ ବିଚ୍ ରାସ୍ତା ଉପରେ ଜଣେ ସଫେଇ କର୍ମଚାରୀଙ୍କୁ ନିର୍ମମ ଭାବେ କରାଯାଇଥିବା ହତ୍ୟା ଘଟଣା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା। ଏହି ହତ୍ୟାକାଣ୍ଡ ମାମଲାରେ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁୁଲିସ। ନୟାଗଡ଼ ଶରଣକୂଳରୁ ୩ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ବାର୍ଡ। ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୁଲିସ।
ଅଭିଯୁକ୍ତମାନେ କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ରହୁଥିଲେ। ବ୍ରାଉନସୁଗାର କାରବାର ଏବଂ ପୂର୍ବ ଶତ୍ରୁତାକୁ ନେଇ ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗିରଫ ହୋଇଥିବା ମହିଳା ଜଣକ ସହଦେବଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିଲେ। ସହଦେବ ସଫେଇ କର୍ମଚାରୀ ସଂଘ ସଭାପତି ଥିଲେ। ସେ ମଧ୍ୟ କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ରହୁଥିଲେ। ସେ ପୁଲିସ ପାଇଁ ସୂଚନାଦାନା ଭାବେ ମଧ୍ୟ କାର୍ଯ୍ୟ କରୁଥିବା କୁହାଯାଉଛି। ଅଞ୍ଚଳରେ ବ୍ରାଉନସୁଗାର କାରବାର ବିଷୟରେ ସେ ପୁଲିସକୁ ଖବର ଦେଉଥିବାରୁ ଅଭିଯୁକ୍ତ ମହିଳା ତାଙ୍କୁ ପୂର୍ବରୁ ହତ୍ୟା ଧମକ ଦେଇଥିଲେ।
ହତ୍ୟାକାରୀ ହତ୍ୟାକାଣ୍ଡ ସ୍ଥଳରୁ ଖସିଯିବା ବେଳେ ଜଣେ ଲୋକ ଭିଡିଓ କରିଥିଲା। ଯେଉଁଥରେ ମୁହଁ ସ୍ପଷ୍ଟ ଜଣାପଡ଼ୁ ନଥିବା ବେଳେ ଗାଡ଼ି ନମ୍ବର ଦେଖିବାକୁ ମିଳିଛି। ଦୁର୍ବୃତ୍ତ ହାଣିବା ପରେ ମାରଣାସ୍ତ୍ରକୁ ବ୍ୟାଗରେ ପୁରାଇ ଖସି ପଳାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।
ମୃତକ ଜଣକ ହେଲେ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ । ସେ ସଫେଇ କର୍ମଚାରୀଙ୍କ ନେତୃତ୍ୱ ନେଉଥିଲେ। ସହଦେବ ସ୍କୁଟିରେ ଯାଉଥିବା ବେଳେ ଦୁର୍ବୃତ୍ତ ବାଇକରେ ଆସି ଗୋଡାଇ ଗୋଡାଇ ତାଙ୍କୁ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି। ତାଙ୍କ ବେକ ଓ ଗୋଡରେ ଗଭୀର ଆଘାତ ଲାଗିିଛି । ତେବେ ପୂର୍ବ ଶତ୍ରୁତାରୁ ଏଭଳି ହତ୍ୟାକାଣ୍ଡ ଘଟିଛି ବୋଲି ଅନୁମାନ କରାଯାଉଛି। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି ଘଟଣାର ଅଧିକ ଖୋଳତାଡ କରୁଛି।