ପୁଞ୍ଜିନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ଓଏଲ୍ ବ୍ୟୁରୋ: ଭୁବନେଶ୍ୱର ଜନତା ମୈଦାନରେ ଜନସମାଗମ। ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଦ୍ୱିତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମକୁ ବିଧିବଦ୍ଧ ଉଦଘାଟନ କରିବା ସହ ପ୍ରବାସୀ ଭାରତୀୟ ଏକ୍ସପ୍ରେସକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଗତକାଲି ରାତିରେ ଭୁବନେଶ୍ୱରରେ ପହଂଚିବା ପରେ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସାମିଲ ହୋଇଛନ୍ତି।
ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପ୍ରବାସୀ ଭାରତୀୟଙ୍କୁ ଉତ୍କଳ ଭୂମିରେ ସ୍ବାଗତ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଦେଶ ଆଗକୁ ବଢୁଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା। ଓଡ଼ିଶାରେ ଶିଳ୍ପାୟନ ପାଇଁ ପ୍ରଚୁର ସମ୍ଭାବନା ରହିଛି।ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ। ଏ ଦିଗରେ ରାଜ୍ୟ ସରକାର ସମସ୍ତ ସହଯୋଗ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ପ୍ରବାସୀ ଭାରତୀୟ ସମ୍ମେଳନରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି। ଓଡ଼ିଶାର ରାଜ୍ୟପାଳ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ବୈଷୟିକ ବ୍ୟାପାର ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ଓଡ଼ିଶାର ମନ୍ତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଗବାନ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ଵାଗତ କରିଛନ୍ତି। ତ୍ରିନିଦାଦ୍ ଓ ଟୋବାଗୋ ରାଷ୍ଟ୍ରପତି ଖ୍ରୀଷ୍ଟିନ୍ କାର୍ଲା କାଙ୍ଗାଲୁଙ୍କୁ ଧନ୍ୟବାଦ ଦେଇଛନ୍ତି। ନିଜ ବାର୍ତ୍ତାରେ ଭାରତର ବିକାଶ କଥା କହିଥିବାରୁ ଧନ୍ୟବାଦ ଦେଇଛନ୍ତି। ଆପଣମାନଙ୍କ ପାଇଁ ଦୁନିଆରେ ମୁଣ୍ଡ ଟେକି ଚାଲିବାକୁ ସୁଯୋଗ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତର ସଫଳତା ବଖାଣି ପ୍ରଧାନମନ୍ତ୍ରୀ କହିଛନ୍ତି, ସମୃଦ୍ଧ ଭାରତର ପ୍ରତିଫଳନ ହେଉଛି ଏବେର ଓଡ଼ିଶା। ଓଡ଼ିଶାରେ ବାଲିଯାତ୍ରାର ବଡ଼ ଆୟୋଜନ ହେଉଛି। ପୂର୍ବରୁ ଓଡ଼ିଶାରୁ ଅନ୍ୟ ପ୍ରଦେଶକୁ ଯାଇ ବାଣିଜ୍ୟ କରାବାର କରୁଥିଲେ। ଏହାର ସ୍ମୃତିରେ ଓଡ଼ିଶାରେ ବାଲିଯାତ୍ରାର ବଡ଼ ଆୟୋଜନ ହେଉଛି। ଓଡ଼ିଶାରେ ଥିବା ଧଉଳି ସ୍ତୁପ ସାରା ବିଶ୍ଵ ପାଇଁ ଶାନ୍ତିର ପ୍ରତୀକ। ସମ୍ରାଟ ଅଶୋକ ଏଠି ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ। ଓଡ଼ିଶାବାସୀଙ୍କ ଭଲ ପାଇବାକୁ ଭୁଲି ହେବନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଉ କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ସମସ୍ତେ ଯାଇ ସାମିଲ ହୁଅନ୍ତୁ। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ, ଚାରିଆଡ଼େ ଉତ୍ସବର ବାତାବରଣ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ। ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୂତପୂର୍ବ। ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ। ଅର୍ଥନୀତିରେ ଖୁବଶୀଘ୍ର ତୃତୀୟ ସ୍ଥାନକୁ ଉନ୍ନୀତ ହେବୁ। ଆଜି ଭାରତ ଫାଇଟର ଜେଟ୍ ନିର୍ମାଣ କରୁଛି। ଭାରତର କଥାକୁ ଆଜି ପୂରା ବିଶ୍ବ ଶୁଣୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।