ଆଜି ପବିତ୍ର ଶାମ୍ବ ଦଶମୀ, ସୂର୍ଯ୍ୟମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼
ଓଏଲ୍ ବ୍ୟୁରୋ: ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ। ସୂର୍ଯ୍ୟ ପୂଜା ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ। ଆଜି ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ହୋଇଛି। ଏନେଇ ଏଏସ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି।
ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ। କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥାଏ। ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ ଘଡ଼ଘଡ଼ା ତିଅଣ କୁହାଯାଏ। ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ।
ଆଜିର ଦିନରେ ଘରେ ଘରେ ସୂର୍ଯ୍ୟଙ୍କ ପୂଜା ହେଉଛି। ଏଥିସହ ସୂର୍ଯ୍ୟ ପୂଜା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼ ଲାଗିଛି। ତେବେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଜି ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।