Odisha Link
Bridging the Missing Links in Odisha

ସମଲିଙ୍ଗୀ ବିବାହ ବିବାଦର ଅନ୍ତ, ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ

ଓଏଲ୍‌ ବ୍ୟୁରୋ: ସମଲିଙ୍ଗୀ ବିବାହ ବିବାଦର ଅନ୍ତ। ସମଲିଙ୍ଗୀ ବିବାହ ଆଇନଗତ ସ୍ୱୀକୃତି ମିଳିବ କି ନାହିଁ ତାହା ଉପରେ ଶୁଣାଣି ହେବାକୁ ଥିବା ବେଳେ ଏନେଇ ଶୁଣାଣି ଶେଷ ହୋଇଛି। ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଆଜି ସମଲିଙ୍ଗୀ ବିବାହର ଆଇନଗତ ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସମଲିଙ୍ଗୀ ବିବାହକୁ ମିଳିପାରିବ ନାହିଁ ଆଇନଗତ ମଞ୍ଜୁରୀ। ଗତ ୨୦୨୩ ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ଖଣ୍ଡପୀଠ।

ସୁପ୍ରିମକୋର୍ଟ ଦେଇଥିବା ପୂର୍ବ ରାୟର ପୁନଃସମୀକ୍ଷା କରିବା ଲାଗି ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଖଣ୍ଡପୀଠ। ଜଷ୍ଟିସ ବି.ଆର. ଗଭାଇ, ସୂର୍ଯ୍ୟକାନ୍ତ, ବି.ଭି. ନାଗରତ୍ନା, ପିଏସ ନରସିହ୍ମା ଓ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁପ୍ରିମକୋର୍ଟଙ୍କ ଅତୀତ ରାୟକୁ ଯଥାର୍ଥ ବୋଲି କହିବା ସହ ଏହି ମାମଲାର ଖୋଲା ଶୁଣାଣି କରିବା ଲାଗି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି।

ସେହିପରି ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ବା ନାଲସା ମାମଲାରେ ସୁପ୍ରିମକୋର୍ଟ କହିଥିଲେ, ଟ୍ରାନ୍ସଜେଣ୍ଡରମାନେ ହେଉଛନ୍ତି ତୃତୀୟ ଲିଙ୍ଗୀ ଏବଂ ଲିଙ୍ଗଗତ ସମାନତା ଓ ଆତ୍ମସମ୍ମାନ ସେମାନଙ୍କ ମୌଳିକ ଅଧିକାର। ୨୦୨୩ ରାୟରେ ୫ ଜଣିଆ ଖଣ୍ଡପୀଠରୁ ୩ ଜଣ ଅର୍ଥାତ ଜଷ୍ଟିସ ରବୀନ୍ଦର ଭଟ୍ଟ, ହିମା କୋହଲି ଓ ପି.ଏସ ନରସିହ୍ମା ସମଲିଙ୍ଗୀ ବିବାହକୁ ବିରୋଧ କରିଥିବାବେଳେ ୨ ଜଣ ଅର୍ଥାତ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଓ ସଞ୍ଜୟ କୌଲ ସମର୍ଥନ କରିଥିଲେ।

ସମଲିଙ୍ଗୀ ବିବାହ ଓ ସେହି ଦମ୍ପତି ପୋଷ୍ୟସନ୍ତାନ ଗ୍ରହଣ କରିବା ଏକ ସାମ୍ବିଧାନିକ ଅଧିକାର ବୋଲି ଏହି ଦୁଇ ଜଣ ମତ ଦେଇଥିଲେ। ସମଲିଙ୍ଗୀ ବିବାହ ଏକ ସାମ୍ବିଧାନିକ ଅଧିକାର ଦର୍ଶାଇ ସୁପ୍ରିମକୋର୍ଟରେ କେତେକ ପିଟିସନ ଦାୟର ହୋଇଥିଲା। ଗତ ଜୁଲାଇ ୨୦୨୪ରେ ପୂର୍ବରୁ ଗଠିତ ଖଣ୍ଡପୀଠରୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଓହରିଯିବା ପରେ ନୂଆ ଖଣ୍ଡପୀଠ ଗଠିତ ହୋଇଥିଲା।

ସୂଚନା ଅନୁସାରେ, ପିଟିସନରକାରୀମାନେ କହିଥିଲେ, ୨୦୧୮ରେ ନବତେଜ ସିଂ ଜୋହର ବନାମ କେନ୍ଦ୍ର ସରକାର ଏବଂ ୨୦୧୪ରେ ନଲସା ବନାମ କେନ୍ଦ୍ର ସରକାର ମାମଲାରେ ଏଲଜିବିଟିକ୍ୟୁଆଇଏ ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ଏହି ମାମଲାର ପୁନର୍ବିଚାର କରାଯାଉ। ନବତେଜ ସିଂ ମାମଲାରେ ସୁପ୍ରିମକୋର୍ଟ ଦୁଇ ଜଣ ବୟସ୍କଙ୍କ ସହମତିଭିତ୍ତିକ ଯୌନ ସମ୍ପର୍କ ଅପରାଧ ନୁହେଁ ବୋଲି କହିଥିଲେ।

Leave A Reply

Your email address will not be published.