ବିଶାଲ ଦାସଙ୍କୁୁ ଛାଡ଼ିଲା ପୁଲିସ
ଓଏଲ୍ ବ୍ୟୁରୋ: ଥାନାରୁ ବାହାରିଲେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ। ଛତିଶଗଡ଼ର ଏକ ହୋଟଲରେ ଭଙ୍ଗାରୁଜା କରିବା ଅଭିଯୋଗରେ ଥାନାରେ ଅଟକ ଥିଲେ ବିଶାଲ। ମାମଲା ରୁଜୁ କରିବା ପରେ ଛତିଶଗଡ଼ର ସରେଇପାଲି ଥାନା ପୁଲିସ ତାଙ୍କୁ ଏବଂ ତାଙ୍କ ସହଯୋଗୀମାନଙ୍କୁ ଛାଡ଼ି ଦେଇଛି। ବିଏନ୍ଏସ୍ ୩୫-ବିରେ ନୋଟିସ୍ କରି ଛାଡ଼ିଛି ପୁଲିସ।
ବିଶାଲ ଦାସଙ୍କ ନାଁରେ ମାମଲା ରୁଜୁ କଲା ସରେଇପାଲି ଥାନା ପୁଲିସ। ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କରିବା ପରେ ଛାଡ଼ିଛି ପୁଲିସ। ବିଏନ୍ଏସ୍ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ ହୋଇଛି। ସରେଇପାଲିର ହୋଟେଲ ରାଧିକା ମ୍ୟାନେଜରଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି। ଅନଧିକାର ପ୍ରବେଶ, ଭଙ୍ଗାରୁଜା ନେଇ ଅଭିଯୋଗ କରିଥିଲେ ମ୍ୟାନେଜର।
ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଶାଲଙ୍କୁ ଛାଡ଼ିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ପରେ ସେଠାକାର ପୁଲିସ ବିଶାଲ ଓ ତାଙ୍କ ସହଯୋଗୀଙ୍କୁ ନୋଟିସ ଜାରି କରି ଛାଡ଼ିଥିବା ସୂଚନା ମିଳିଛି।