ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର

ଓଏଲ୍ ବ୍ୟୁରୋ: ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଜାତୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାର ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ରାଜ୍ୟବାସୀଙ୍କ ପାଇଁ ଆଜି ଖୁସିର ଦିନ। ଓଡିଶା ପାଇଁ ଆଜି ଐତିହାସିକ ଦିନ। ଓଡ଼ିଶାରେ ବୈପ୍ଲବିକ ପରିବତ୍ତନ ଆସିବ। ଏଥିପାଇଁ ବହୁ ଦିନ ଧରି ଅପେକ୍ଷା ରହିଥିଲା। ସମୟ ପରିବର୍ତ୍ତନ ଆଣିଦେଇଛି। ବିଳମ୍ବ ହୋଇଛି ସତ, ହେଲେ କାର୍ଯ୍ୟ ସିଦ୍ଧି ହୋଇଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଦେଇଛନ୍ତି।
ଆୟୁଷ୍ମାନ ଭାରତ ପାଇଁ MOU ବେଳେ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ପ୍ରତି ପଞ୍ଚାୟତରେ ହେବ ଆୟୁଷ୍ମାନ ଭାରତ ମନ୍ଦିର। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। ଆୟୁଷ୍ମାନ ଭାରତ ମନ୍ଦିରରେ ଜଣେ ଯୋଗ ଶିକ୍ଷକ ରହିବେ।ସ୍ବାସ୍ଥ୍ୟକର୍ମୀଙ୍କ ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେବୁ।
ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦବୋଧନ ଦେଇ କହିଛନ୍ତି, ସରକାର ଆସିବା ପୂର୍ବରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା। ପ୍ରାୟ ୩୦ ହଜାର ହସ୍ପିଟାଲ୍ ସହ ଆଜି ସ୍ବାକ୍ଷର ହୋଇଥିବା MOU ଅନୁବନ୍ଧିତ ରହିବ।ବିରୋଧୀଦଳରେ ଥିଲା ବେଳେ ଲାଗୁ କରିବାକୁ ଦାବି କରିଥିଲୁ। ସରକାରକୁ ଆସିବା ପରେ ଆମେ ପ୍ରତିଶ୍ରୁତି ପାଳନ କଲୁ। ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଉପକାର ପାଇବେ। ଗୋପବନ୍ଧୁ ଜନ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ। ସାରା ଦେଶରେ ଯିଏ ଯେଉଁଠି ଥିଲେ ବି ଏହାର ସୁଯୋଗ ପାଇବେ। ଦେଶର ୩୦ ହଜାର ହସ୍ପିଟାଲ୍ରେ ସୁବିଧା ମିଳିବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି।