Odisha Link
Bridging the Missing Links in Odisha

ଆଜିଠୁ ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ଖୋଲା, ପଞ୍ଜିକରଣ ବିନା ପ୍ରବେଶ ମନା

ଓଏଲ୍‌ ବ୍ୟୁରୋ: ଆଜିଠୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା। ସୌନ୍ଦର୍ଯ୍ୟ ଉପଭୋଗ କରିବେ ସାଧାରଣ ଲୋକେ। ଜାନୁଆରୀ ୧୩ରୁ ଜାନୁଆରୀ ୨୨ ଯାଏଁ ଖୋଲା ରହିବ ରାଜଭବନ ଉଦ୍ୟାନ। ଚଳିତବର୍ଷ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ତେବେ ରାଜଭବନ ଉଦ୍ୟାନରେ ପ୍ରବେଶ କରିବାକୁ ହେଲେ ପ୍ରଥମେ ମୋବାଇଲ୍‌ ଆପ୍‌ ଜରିଆରେ ପଞ୍ଜୀକରଣ କରିବେ। ଏହାପରେ ସେହି ପ୍ରମାଣ ପତ୍ର ନେଇ ରାଜଭବନ ଉଦ୍ୟାନକୁ ଯିବେ। ତେବେ ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ୍‌ ଆପ୍‌ ଡାଉନ୍‌ଲୋଡ଼ କରିବାକୁ ପଡ଼ିବ। ଓଡ଼ିଶାର ରାଜଭବନ ୱେବ୍‌ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍‌ କୋଡ଼ ମାଧ୍ୟମରେ ମୋବାଇଲ୍‌ ଆପ୍‌ ମଧ୍ୟ ଡାଉନ୍‌ଲୋଡ କରାଯାଇପାରିବ। ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ବୁଲିବାର ସମୟ ଅପରାହ୍ନ ୨ଟା ୩୦ମି ରୁ ୫ଟା ପର୍ଯ୍ୟନ୍ତ ରହିଛି।

ସ୍କୁଲ ପିଲାମାନଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ସକାଳ ୮.୩୦ମି. ରୁ ୧୦ ଘଟିକା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏ ସଂପର୍କରେ ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କତ୍ତୃର୍ପକ୍ଷ ରାଜଭବନ ୱେବ୍‌ସାଇଟ୍‌ ପରିଦର୍ଶନ କରିପାରିବେ। ସ୍କୁଲ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମ ଓ ପରିଚୟ କାର୍ଡ଼ ପରିଧାନ ପୂର୍ବକ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଆସିବେ। ଉଦ୍ୟାନ ପରିଦର୍ଶନରେ ଆସିବାକୁ ଥିବା ପର୍ଯ୍ୟଟକ ପାଇଁ ନ୍ୟୁ ଅଭିଷେକ ହଲ୍‌ ନିକଟସ୍ଥ ୩ ନମ୍ବର ଗେଟ୍‌ରେ ପ୍ରବେଶ ଏବଂ ସିକ୍ୟୁରିଟି ବାରାକ ନିକଟସ୍ଥ ଗେଟ୍‌ରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.