ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବିସିସିଆଇ ନେଲା ବଡ଼ ନିଷ୍ପତ୍ତି
ଓଏଲ୍ ବ୍ୟୁରୋ: ଆକ୍ସନ ମୁଡରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିସିସିଆଇ। ଏଣିକି କ୍ରିକେଟରଙ୍କ ପରିବାରଜନଙ୍କ ପାଇଁ କଡ଼ା ନିୟମ ପ୍ରସ୍ତୁତ କରୁଛି ବିସିସିଆଇ। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଟୁର୍ଣ୍ଣାମେଣ୍ଟ ୪୫ ଦିନ ବା ତାଠୁ ଅଧିକ ଦିନ ହୋଇଥାଏ ତେବେ ଟିମ୍ ଇଣ୍ଡିଆ ଖେଳାଳିଙ୍କ ପରିବାର ମାତ୍ର ୧୪ ଦିନ ପାଇଁ ଖେଳାଳିଙ୍କ ସହିତ ରହିପାରିବେ। ସେହିପରି ୪୫ ଦିନ ତଳକୁ ହେଲେ ଖେଳାଳିଙ୍କ ସହିତ ତାଙ୍କ ପରିବାର ଲୋକ ୭ ଦିପ ପର୍ଯ୍ୟନ୍ତ ରହିବାକୁ ଅନୁୁମତି ଦିଆଯିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ସେହିପରି ପୁରା ଟୁର୍ଣ୍ଣାମେଣ୍ଟ ମଧ୍ୟରେ ଖେଳାଳିଙ୍କ ସହିତ ତାଙ୍କ ପତ୍ନୀ ରହିପାରିବେନି। ପରିବାର ସଦସ୍ୟ କେବଳ ୨ ସପ୍ତାହ ପାଇଁ ରହି ପାରିବେ। ସମସ୍ତ ଖେଳାଳି ଟିମ୍ ବସ୍ରେ ଯାତ୍ରା କରିବାକୁ ପଡ଼ିବ। ଆଉ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟ ଉକ୍ତ ବସ୍ରେ ଯାତ୍ରା କରିବାକୁ ପଡ଼ିବ ବୋଲି ନୂଆ ନିୟମରେ ଉଲ୍ଲେଖ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।
ସେହିପରି ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ମ୍ୟାନେଜରଙ୍କୁ ଭିଆଇପି ବକ୍ସ ବା ଟିମ୍ ବସ୍ରେ ଯିବାକୁ ଅନୁୁମତି ନାହିଁ। ତାଙ୍କୁ ଅନ୍ୟ ଏକ ହୋଟଲରେ ରହିବାକୁ ପଡ଼ିବ। ସେହିପରି ଖେଳାଳିଙ୍କ ସାମାନ ୧୫୦ କେଜିରୁ ଉର୍ଦ୍ଧ୍ବ ହେଲେ ବିସିସିଆଇ ଖେଳାଳି୍କ ପାଇଁ ଦେଉଥିବା ଅତିରିକ୍ତ ସାମାନ ଶୁଳ୍କ ଦେବ ନାହିଁ।
ସୂଚନାଥାଉକି, ଅଷ୍ଟ୍ରେଲିଆ ବିପକ୍ଷ ସିିରିଜ ହାରିବା ପରେ ରୋହିତ ଶର୍ମା ଓ ଗୌତମ ଗମ୍ଭୀରଙ୍କ ସହିତ ସମୀକ୍ଷା ବୈଠକ କରିଥିଲା ବିସିସିଆଇ। ଏହି ବୈଠକରେ ବିସିସିଆଇ ନୂଆ ଟିମ୍ କମ୍ବିନେସନ୍ ମାମଲାରେ ଆଲୋଚନା କରିନାହିଁ।