ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି। ଘରେ ଘରେ ଇଷ୍ଟଦେବୀଙ୍କ ଠାରେ ଲାଗି ହେଉଛି ମକର ଚାଉଳ। ଏଥିଲାଗି ଗାଁଠୁ ସହର ସବୁଠି ଉତ୍ସବମୂଖର ପରିବେଶ। ସାରା ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ। କର୍ଣ୍ଣାଟକ, ଗୋଆ, ଓଡିଶା, ହରିୟାଣା, ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ମକର ସଂକ୍ରାନ୍ତି ପାଳନ କରାଯାଏ।
ପରମ୍ପରା ଅନୁସାରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ପ୍ରତି ବର୍ଷ ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି ପାଳନ କରାଯାଏ। ମକର ସଂକ୍ରାନ୍ତିରେ ଦାନ-ପୁଣ୍ୟ କରିବାର ବିଶେଷ ମହତ୍ୱ ରହିଛି। ମକର ସଂକ୍ରାନ୍ତି ଦିନ ଖେଚୁଡ଼ି ପ୍ରସ୍ତୁତ କରି ଏହାକୁ ଖାଇବାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ମକର ଚାଉଳ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଣ୍ଟା ଯାଏ। ଅନେକ ସ୍ଥାନରେ ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି।
ତେବେ ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଜଗନ୍ନାଥ ସଂସ୍କୃତିରେ ମକର ସଂକ୍ରାନ୍ତର ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି। ଏହା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ। ଭାଇଚାରା , ସଦଭାବ ଏବଂ ଏକତାର ପ୍ରତୀକ। ମକର ସଂକ୍ରାନ୍ତି ଓଡିଶା ତଥା ଆପଣ ମାନଙ୍କ ପାଇଁ ଶୁଭପ୍ରଦ ହେଉ। ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଆପଣଙ୍କ ଜୀବନ ମଙ୍ଗଳମୟ ହେଉ।