Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି, ମକର ଚୌରାସୀ ବେଶରେ ମହାପ୍ରଭୁ

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ମକର ସଂକ୍ରାନ୍ତି। ଘରେ ଘରେ ଇଷ୍ଟଦେବୀଙ୍କ ଠାରେ ଲାଗି ହେଉଛି ମକର ଚାଉଳ। ଏଥିଲାଗି ଗାଁଠୁ ସହର ସବୁଠି ଉତ୍ସବମୂଖର ପରିବେଶ। ସାରା ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ। ତାମିଲନାଡୁରେ ପୋଙ୍ଗଲ। କର୍ଣ୍ଣାଟକ, ଗୋଆ, ଓଡିଶା, ହରିୟାଣା, ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗରେ ମକର ସଂକ୍ରାନ୍ତି ପାଳନ କରାଯାଏ।

ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପାଳନ ହେଉଛି ସ୍ୱତନ୍ତ୍ର ମକରନୀତି। ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଆଜି ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ପରେ ଶ୍ରୀଜିଉ ମାନଙ୍କର ପଟା ପହରଣ ଲାଗି ନୀତି ଅନୁଷ୍ଠିତ ହେଉଛି। ଏହା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି କରାଯିବା ସହ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ଅନୁଷ୍ଠିତ ହେଉଛି।

ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମହାପ୍ରଭୁର ମକର ଚୌରାସୀ ବେଶ କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ସହ ଶୁଭଙ୍କର ସମୟ ଜାରି ରହିବ। ଅନ୍ୟ ପକ୍ଷରେ ଗତକାଲି ଠାରୁ ଆଲାମଚଣ୍ଡୀ ପୀଠରୁ ଆସିଥିବା ସ୍ୱତନ୍ତ୍ର ତାଡ଼ରେ ମକର ଚାଉଳ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କ ନିକଟରେ ଭୋଗ ସମର୍ପଣ କରାଯିବ।

ପରମ୍ପରା ଅନୁସାରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ପ୍ରତି ବର୍ଷ ଜାନୁୟାରୀ ୧୪ରେ ମକର ସଂକ୍ରାନ୍ତି ପାଳନ କରାଯାଏ। ମକର ସଂକ୍ରାନ୍ତିରେ ଦାନ-ପୁଣ୍ୟ କରିବାର ବିଶେଷ ମହତ୍ୱ ରହିଛି। ମକର ସଂକ୍ରାନ୍ତି ଦିନ ଖେଚୁଡ଼ି ପ୍ରସ୍ତୁତ କରି ଏହାକୁ ଖାଇବାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ମକର ଚାଉଳ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଣ୍ଟା ଯାଏ। ଅନେକ ସ୍ଥାନରେ ମକର ସଂକ୍ରାନ୍ତି ଦିନ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି।

Leave A Reply

Your email address will not be published.