ଦେଢ଼ଶହ ବର୍ଷରେ ଭାରତୀୟ ପାଣିପାଗ ବିଭାଗ, କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ଓଏଲ୍ ବ୍ୟୁରୋ: ବର୍ଷକ ବାରମାସ ୩୬୫ ଦିନ ଲୋକଙ୍କ ସେବାରେ ସାମିଲ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ୧୫୦ ବର୍ଷ ପ୍ରତିଷ୍ଠା ଦିବସ ପାଳନ କରୁଛି। ବନ୍ୟା, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି। କେବେ ବାତ୍ୟା ଆସିବ, କେଉଁଠି ଲ୍ୟାଣ୍ଡଫଲ କରିବ। ବାତ୍ୟାର ଗତିପଥ କ’ଣ ରହିବ, ତାର ସଠିକ୍ ଆକଳନ କରି ଅନେକ ସମୟରେ ପ୍ରଶଂସା ସାଉଁଟିଛି ଆଇଏମ୍ଡି। ଆଉ ଏହି ସଠିକ୍ ଆକଳନ ଯୋଗୁ ଅନେକ ଧନ ଜୀବନ ରକ୍ଷା ହୋଇପାରିଛି।
ଆଜି ଭାରତୀୟ ପାଣିପାଗ ବିଭାଗକୁ ୧୫୦ ବର୍ଷ ପୂରିଛି। ୧୮୭୫ ମସିହା ଜାନୁଆରୀ ୧୫ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ପାଣିପାଗ ବିଭାଗ। ଏହି ୧୫୦ ବର୍ଷ ଭିତରେ ବିଭିନ୍ନ ସମୟରେ ପାଣିପାଗର ପ୍ରାକ୍ ସୂଚନା ଦେଇ ଚାଲିଛି ଆଇଏମ୍ଡି। ଭାରତୀୟ ପାଣିପାଗ ବିଭାଗର ଦେଢ଼ ଶହ ବର୍ଷ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି।