ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ, ମକର ମଣ୍ଡପରେ ପ୍ରଭୁ ଲିଙ୍ଗରାଜ
ଓଏଲ୍ ବ୍ୟୁରୋ: ପୁଣି ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ। ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ କରୁଥିବା ନେଇ ମହାସୁଆର ଅଭିଯୋଗ କରିଛନ୍ତି। ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଅଛନ୍ତି ଲିଙ୍ଗରାଜ। ସର୍ବସାଧାରଣ ଦର୍ଶନ ବନ୍ଦ କରି ପ୍ରତିବାଦ କରିବେ ପୂଜାପଣ୍ଡା।
ନୀତି ଅନୁସାରେ ପବିତ୍ର ପୁଷ୍ୟାଭିଷେକ ଅବସରରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ। କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ। ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।
ଗତକାଲି ସନ୍ଧ୍ୟାରୁ ବଡୁ ସେବାୟତ ଓ ମହାସୁଆର ସେବାୟତଙ୍କ ମଧ୍ୟରେ ନୀତି କରିବାକୁ ନେଇ ବିବାଦ ହେଉଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଓ ମକର ପୂଜା ନୀତି ବନ୍ଦ ରହିଛି। ମକର ମଣ୍ଡପରେ କାଲି ସନ୍ଧ୍ୟାରୁ ଠାକୁର ବସି ରହିଛନ୍ତି। ଏପଟେ ଆଜି ମକର ସଂକ୍ରାନ୍ତି ଅବସରରେ ଲୋକଙ୍କ ପାଇଁ ଖୋଲା ରହିଛି ମନ୍ଦିର । ସକାଳୁ ମଙ୍ଗଳ ଆଳତି ହେଇନଥିବା ବେଳେ ସାହାଣ ମେଲା ଦର୍ଶନ ଚାଲୁଛି।