“ରାଜନୀତିରେ କିଛି ଅସମ୍ଭବ ନୁହେଁ”
ଓଏଲ୍ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ବଡ଼ ବୟାନ ଦେଲେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ତଥା ସାଂସଦ ମୀସା ଭାରତୀ। ମହଗଠବନ୍ଧନକୁ ନୀତୀଶ କୁମାରଙ୍କ ପ୍ରତ୍ୟାବର୍ତ୍ତନ କରିବେ କି ପ୍ରସଙ୍ଗରେ ଭାରତୀ ଦେଇଛନ୍ତି ପ୍ରତିକ୍ରିୟା।
ସେ କହିଛନ୍ତି, ରାଜନୀତିରେ କିଛି ଅସମ୍ଭବ ନୁହେଁ। ମକର ସଂକ୍ରାନ୍ତି ପରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ସବୁବେଳେ ନୀତୀଶଙ୍କ ପାଇଁ ରାବଡୀ ଆବାସ ଖୋଲା ରହିଛି। ଭାରତୀଙ୍କ ଏହି ବୟାନ ବିହାର ରାଜନୀତିରୁ ଆରମ୍ଭ କରି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ସୂଚନାଥାଉକି, ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଥିଲେ ଯେ ନୀତୀଶ କୁମାରଙ୍କ ସହିତ ହାତ ମିଶାଇବା ଅର୍ଥାତ ନିଜ ଗୋଡ଼ରେ କୁରାଢ଼ୀ ମାରିବା ସହିତ ସମାନ।
ଆରଜେଡି ସାଂସଦ ମୀସା ଭାରତୀ ପାଟଣାରେ ଆୟୋଜିିତ ମକର ସଂକ୍ରାନ୍ତି ଉତ୍ସବରେ ଯୋଗ ଦେଇଥିଲେ। ସେ ଗଣମାଧ୍ୟମରେ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଥିଲେ। ପରେ ସାମ୍ବାଦିକ ମାନେ ବିହାର ରାଜନୀତିକୁ ନେଇ ପ୍ରଶ୍ନ କରିଥିଲେ। ତାର ଉତ୍ତର ଦେବାକୁ ଯାଇ ଭାରତୀ କହିଛନ୍ତି, କିଛି ଦିନ ହେବ ବିହାର ରାଜନୀତିକୁ ନେଇ ଖୁବ ଚର୍ଚ୍ଚା ହେଉଛି। କିଛି ବି ଘଟିପାରେ। ପୂର୍ବରୁ ମକର ସଂକ୍ରାନ୍ତି ପରେ ବିହାରର ରାଜନୈତିକ ସମୀକରଣ ଓଲଟପାଲଟ ହୋଇସାରିଛି। ହେଲେ ଏଥର ଲାଗୁ ନାହିଁ।
ସେ ଆହୁରି କହିଛନ୍ତି, ରାଜନୀତିରେ କିଛି ବି ଅସମ୍ଭବ ନୁହେଁ। ଏବେ କିଛି କହିବା ଠିକ୍ ହେବ ନାହିଁ। ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମକର ସଂକ୍ରାନ୍ତି ପରେ ପ୍ରତିଟି ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ।