ଭାଙ୍ଗିଲା ଖଣ୍ଡଗିରିର ବୈକୁଣ୍ଠଧାମ, ଆଶ୍ରମରେ ବୁଲିଲା ବୁଲଡୋଜର

ଓଏଲ୍ ବ୍ୟୁରୋ: ମାଟିରେ ମିଶିଲା ବେଆଇନ ଆଶ୍ରମ। ଅନେକ ଦିନର ଯାଞ୍ଚ ମାଲିମକଦମା ପରେ ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଭାଙ୍ଗିବାକୁ ଘୋଷଣା ହୋଇଥିଲା। ଦିନ ୧୨ଟା ସୁଦ୍ଧା ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ ବିଡିଏ ନିର୍ଦ୍ଦେଶ ଦେଇଥିବାବେଳେ ଆଶ୍ରମରେ ଥିବା ଆସବାବପତ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ପରେ ବିବାଦୀୟ ଆଶ୍ରମରେ ବୁଲିଲା ବୁଲଡୋଜର। ପୁଲିସ ଉପସ୍ଥିତିରେ BDA ପକ୍ଷରୁ ଭଙ୍ଗାଚାଲିଛି। ୨ଟି ଜେସିବି ସାହାଯ୍ୟରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ବେଆଇନ ଆଶ୍ରମ କରି ପ୍ରଚାର କରୁଥିଲେ କୁନି ବାବା।
ଖଣ୍ଡଗିରିରେ ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ନିର୍ମାଣ ହୋଇଛି। ଏଠାରେ ଆତ୍ମଘୋଷିତ ବାବା ଶ୍ରୀଶ୍ରୀଶ୍ରୀ ସତ୍ୟ ଅନନ୍ତ ମାଧବ ଲୀଳାଖେଳା କରୁଥିଲେ। ସେ ପ୍ରତିଦିନ ଭକ୍ତଙ୍କୁ ଭେଟୁଥିଲେ ଓ ପ୍ରବଚନ ଦେଉଥିଲେ। ନିକଟରେ ବାବାଙ୍କ ଗୋଟିଏ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ବିବାଦର ମୂଳ କାରଣ ଥିଲା କୁନି ବାବାଙ୍କ ପାଦ ତଳେ ତୁଳସୀ ଥିବା ଦେଖିବାକୁ ମିଳିଥିଲା।
ଫଳରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ ପରେ ଭରତପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସର ତନାଘନା ଭିତରେ ବାବାଙ୍କ ବୈକୁଣ୍ଠ ଆଶ୍ରମରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା। ବାବା କାଶୀନାଥ ଶ୍ରଦ୍ଧାଳୁଙ୍କ ଆସ୍ଥାକୁ ଆଧାର କରି ବ୍ୟବସାୟ କରିବା ସହ ବିଳାଶପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ।