ଭୁବନେଶ୍ୱରରେ ସିଙ୍ଗାପୁର ରାଷ୍ଟ୍ରପତି, ଗସ୍ତ ନେଇ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ…
ଓଏଲ୍ ବ୍ୟୁରୋ: ୫ ଦିନିଆ ଭାରତ ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରରେ ପହଂଚିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି। ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯିବ, ସିଙ୍ଗାପୁର ସହ ସଂପର୍କ ବଢ଼ିବ। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ୨ ଦିନ ଆଲୋଚନା ହେବ। ସିଙ୍ଗାପୁର ସହ MOU ସ୍ବାକ୍ଷର କାର୍ଯ୍ୟକ୍ରମ ରହିଛି। ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା, ଗ୍ରୀନ୍ ଏନର୍ଜୀରେ ସହଯୋଗ ରହିବ।
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ବରିଷ୍ଠ ଅଧିକାରୀମାନେ ମୁତୟନ ରହିଛନ୍ତି। ଭିଭିଆଇପିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି। ସେଥିପାଇଁ ଟ୍ରାଫିକ୍ ଗାଇଡ୍ଲାଇନ୍ ଜାରି କରିଛି କମିସନରେଟ୍ ପୁଲିସ। ୨ ଦିନ ଟ୍ରାଫିକ୍ କଟକଣା ରହିବ।
ସେହିପରି ଅପରାହ୍ଣ ୪ଟାରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିବେ। ତାହା ସହିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ମଧ୍ୟ ବୁଲି ଦେଖିବେ। ସେହିପରି ୧୮ ତାରିଖରେ ରଘୁରାଜପୁର ହେରିଟେଜ୍ ଭିଲେଜ୍ ବୁଲି ଦେଖିବେ, ତାହା ପରେ ଆଇଓସିଏଲ୍ ଇଣ୍ଟରପେସନ ବୁଲି ଦେଖିବେ। ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିବେ। ଅପରାହ୍ଣରେ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକ୍ର ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବେ।