ଇମ୍ରାନ୍ ଖାନ୍ଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ, ପତ୍ନୀଙ୍କୁ ମଧ୍ୟ ୭ ବର୍ଷ ସଜ୍ଜା

ଓଏଲ୍ ବ୍ୟୁରୋ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ଦେଲେ ପାକିସ୍ତାନ କୋର୍ଟ। ଦୁର୍ନୀତି ମାମଲାରେ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ଇମ୍ରାନ୍ ଖାନ୍ଙ୍କ ପତ୍ନୀଙ୍କୁ ମଧ୍ୟ ୭ ବର୍ଷ ସଜ୍ଜା ଦେଲେ ପାକିସ୍ତାନ କୋର୍ଟ।ଅଲକାଦିର ଟ୍ରଷ୍ଟ ମାମଲାରେ ଶୁଣାଣିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶକ୍ତ ଝଟକା ଲାଗିଛି। କ୍ଷମତାର ଦୁରୂପଯୋଗ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇମ୍ରାନ୍ ଖାନ୍।
ସୂଚନା ଅନୁସାରେ, ପୂର୍ବରୁ ତୋଶାଖାନା ମାମଲାରେ ଇମ୍ରାନ୍ ଖାନ୍ଙ୍କୁ ଆଶ୍ଵସ୍ତି ମିଳିଥିଲା। ତୋଶାଖାନାର ମୂଲ୍ୟବାନ ଉପହାରଗୁଡ଼ିକୁ ନ ଫେରାଇଲେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ମାମଲା ଚାଲିବ ନାହିଁ ବୋଲି ପାକିସ୍ତାନର ହାଇକୋର୍ଟ ରାୟ ଦେଇଥିଲେ। ବିଚାରପତି ମିଆଁଗୁଲ୍ ହସନ୍ ଔରଙ୍ଗଜେବ୍ ଏହି ମାମଲାରେ ରାୟ ଶୁଣାଇଥିଲେ।
୧୪ ପୃଷ୍ଠା ସମ୍ବଳିତ ଏହି ରାୟରେ ବିଚାରପତି ମିଆଁଗୁଲ୍ ଦର୍ଶାଇଥିଲେ, ୨୦୨୩ରେ ତୋଶାଖାନା ସଂଶୋଧିତ ନିୟମାନୁସାରେ ‘ରାଷ୍ଟ୍ରୀୟ ନେତାଙ୍କୁ ମିଳିଥିବା ଉପହାର’ ତୋଶାଖାନାକୁ ପ୍ରଦାନ ନକଲେ ଜୋରିମାନା ଓ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ତେବେ ଏହି ନିୟମ ୨୦୨୩ ପୂର୍ବରୁ ମିଳିଥିବା ଉପହାର ସକାଶେ ଲାଗୁ ହୋଇପାରିବ ନାହିଁ। ୨୦୧୮ ତୋଶାଖାନା ନିୟମରେ ଉପହାର ସାମଗ୍ରୀ ବାବଦକୁ କେବଳ ରସିଦ ଜମା କରିବା ନିର୍ଦ୍ଦେଶ ରହିଛି ବୋଲି ବିଚାରପତି କହିଥିଲେ।