ଅଶୋକ କୁମାର ମିଶ୍ରଙ୍କ ଗଳ୍ପ ସଂକଳନ ‘ମିଛ ଝରଣାର ପାଣି’ ଉନ୍ମୋଚିତ
ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍ ଇନ୍ ବୁକ୍ସ’ ବହି ପର୍ବରେ ସାମିଲ ହେଲା ଓଡ଼ିଆ ପୁସ୍ତକ “ମିଛ ଝରଣାର ପାଣି”। ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଶୁକ୍ରବାର ସଂଧ୍ୟାରେ ଅଶୋକ କୁମାର ମିଶ୍ରଙ୍କ ଗଳ୍ପ ସଂକଳନ ‘ମିଛ ଝରଣାର ପାଣି’ ଉନ୍ମୋଚିତ ହୋଇଯାଇଛି। ଅନୁଷ୍ଠାନର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଆ ସାହିତ୍ୟର ଦୁଇ ପ୍ରସିଦ୍ଧ କଥାଶିଳ୍ପୀ ଶ୍ରୀ ଦାଶ ବେନହୁର ଓ ଡ. ଗୌରହରି ଦାସ ଅତିଥି ଭାବରେ ଯୋଗ ଦେଇଥିଲେ।
ନିଜର ବକ୍ତବ୍ୟରେ ଦାଶ ବେନହୁର କହିଥିଲେ ଯେ ଯେକୌଣସି ସୃଜନର ସବୁଠୁ ବଡ଼ ବିଭବ ହେଉଛି ଏହାର ନାନ୍ଦିନିକତା। ଲେଖକଙ୍କ ଲେଖାରେ ନାନ୍ଦନିକତା ନ ଥିଲେ ତାହା ପାଠକଙ୍କୁ ରୁଚି ନଥାଏ। ସେହିପରି ସେ କହିଥିଲେ ଯେ ସଂଗୀତ ହେଉଛି ପ୍ରକୃତିର ବିଭବ, କିନ୍ତୁ କାହାଣୀ ମଣିଷର ସୃଜନ। କାହାଣୀକୁ ମଣିଷ ଗଢ଼ିଥିବାରୁ ତାକୁ ଦ୍ବିତୀୟ ଈଶ୍ବର କୁହାଯାଇଛି। ପାଶ୍ଚାତ୍ୟରେ କାହାଣୀ ବିଳମ୍ବରେ ଆସିଥିଲା ଓ ଏବେ ଦୂରେଇଯିବାକୁ ବସିଲାଣି। କିନ୍ତୁ ଭାରତୀୟ ସଂସ୍କୃତିରେ କାହାଣୀ ବେଶ୍ ଆଦିମ ଏବଂ ଏହା ସହଜରେ ଅପସରି ଯିବନାହିଁ ବୋଲି ସେ କହିଥିଲେ। ଶ୍ରୀ ବେନହୁର କହିଥିଲେ ଯେ ଆମର ପୁରାଣ ହେଉଛି କାହାଣୀପୁଞ୍ଜ। ଉପନିଷଦମାଳା କାହାଣୀରେ ପରିପୂର୍ଣ୍ଣ।
ନିଜର ବକ୍ତବ୍ୟରେ ଶ୍ରୀ ଗୌରହରି ଦାସ କହିଥିଲେ ଯେ କାହାଣୀ କହିବା ଶିଖିଛି ବୋଲି ମଣିଷ ବଞ୍ଚିବା ଶିଖିଛି। ମଣିଷର ଛାତିତଳେ ଏକ ବଡ଼ ମଶାଣି ଅଛି, ଯେଉଁଠି ବହୁ ସ୍ବପ୍ନ, ଖୁସି, ହସ ଓ ନାନାଦି ଅନୁଭବର ମରଣ ହୋଇଥାଏ। ମଣିଷ କାହାଣୀ ମାଧ୍ୟମରେ ସେଥିରୁ ଯେତିକି ସତେଜ ରଖେ ତାହାହିଁ ମଣିଷକୁ ବଞ୍ଚିବାର ଆଶା ଦିଏ। ସେ କହିଥିଲେ ଯେ ମଣିଷର ସବୁଠୁ ବଡ଼ ଉପଲବ୍ଧି ହେଉଛି କାହାଦ୍ବାରା ଲୋଡ଼ିହେବା। ଅଲୋଡ଼ା ହେବାଠାରୁ ଆଉ ଚରମ ଦୁଃଖ କିଛି ନାହିଁ। ମଣିଷ କାହାଣୀ ମାଧ୍ୟମରେ ଲୋଡ଼ିହେବାର ସମ୍ଭାବନାଟିଏ ପାଏ। ସେ ପୁଣି କହିଥିଲେ ଯେ ସାହିତ୍ୟ ଆଶାର କଥା କହେ; ସମାନୁଭୂତି, କରୁଣା ଓ ପରିବର୍ତ୍ତନର କଥା କହେ। ବିଶ୍ବସନୀୟତା ଓ ପଠନୀୟତା ଯେକୌଣସି ଗଳ୍ପର ଅନ୍ୟତମ ବିଶେଷ ବିଭବ ବୋଲି ସେ ମତ ଦେଇଥିଲେ।
ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ଏହି ସଭାରେ ନିଜର ଲେଖକୀୟ ବକ୍ତବ୍ୟ ଦେବା ଅବସରରେ ଶ୍ରୀ ମିଶ୍ର ପିଲାଦିନ, ପରିବାର ଓ କାହାଣୀ ଲେଖିବାର ଆଗ୍ରହ ଓ ଅନୁଭବର କଥା ବଖାଣିଥିଲେ। କବି ପବିତ୍ର ମୋହନ କର ଉତ୍ସବ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।